ପ୍ରବଳ ବର୍ଷାରେ ଭସାଇ ନେଲା ଗିର୍ଲିଗୁମ୍ମା ଅସ୍ଥାୟୀ ପୋଲ, ଚାରି ଗ୍ରାମବାସୀ ହନ୍ତସନ୍ତ…

ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ ଗିର୍ଲିଗୁମ୍ମା ପଞ୍ଚାୟତ ଅଧିନରେ ରହିଥିବା ଅସ୍ଥାୟୀ ପୋଲ ପ୍ରବଳ ବର୍ଷାରେ ଭସାଇ ନେଇ ଥିବା ଯୋଗୁଁ ଚାରି ଗ୍ରାମର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି । ଗତକାଲି ରାତିରେ ପ୍ରବଳ ବର୍ଷା ହେବା ଫଳରେ ଭାସି ଯାଇ ଥିଲା କାଠ ପୋଲ । ଗତକାଲି ରାତିରେ ପୋଡ଼ ନଦୀରେ ଆସିଥିଲା ପ୍ରବଳ ପାହାଡିଆ ଝରଣାର ବର୍ଷା ପାଣି I ପୋଲ ଭାସି ଯିବା ପରେ ଚାରି ଗ୍ରାମକୁ ଯୋଗାଯୋଗ ବିଛିନ୍ନ ହୋଇ ଯାଇଛି । ବିଛିନ୍ନ ଗ୍ରାମ ଗୁଡିକ ହେଲା ଫୁଣ୍ଡାଗୁଡା, ଡେଙ୍ଗାଗୁଡା, ଭଣ୍ଡିସିଲ ଏବଂ ଶଙ୍ଖା ଗୁଡା ଗ୍ରାମ। ନୂତନ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବାରମ୍ବାର ପଲ୍ଲୀସଭାରେ ଓ ଗ୍ରାମ ସଭାରେ ଅଭିଯୋଗ କରିବା ପରେ ବି କୌଣସି ସୁଫଳ ଦେଖି ବାକୁ ମିଳିନଥିଲା । ସରକାରଙ୍କ ନୀରବତା ପରେ ଚାରି ଗ୍ରାମବାସୀ ନିଜେ ଟଙ୍କା ଯୋଗାଡ଼ କରି ନିର୍ମାଣ କରିଥିଲେ ଖଣ୍ଡିଏ କାଠ ପୋଲ । ବର୍ତ୍ତମାନ ସୁଦ୍ଧା ଯାତାୟାତ ପାଇଁ ଗାଁକୁ ପକା ରାସ୍ତା ନାହିଁ I ସ୍ୱାସ୍ଥ୍ୟ ସେବା ପାଇଁ ଗ୍ରାମକୁ ଆସି ପାରୁ ନାହିଁ ଆମ୍ବୁଲାନ୍ସ I ଗୁରୁତର ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଭାରରେ ବହି ନଦୀ ପାରି କରୁଛନ୍ତି ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଏହି ଚାରି ଗ୍ରାମରେ I ସରକାରଙ୍କ ଅଣଦେଖା ଯୋଗୁଁ ଚାଉଳ ,ଭତା, ସ୍କୁଲ, ହସ୍ପିଟାଲ, ବ୍ୟାଙ୍କ, ପଞ୍ଚାୟତ, ବ୍ଲକକୁ ଆସିପାରୁ ନାହାନ୍ତି ଗ୍ରାମବାସୀ । ତେବେ ଏହି ବାବଦରେ ଗ୍ରାମ୍ୟ ଉନାୟନ ଅଧିକାରୀ ବିଭାଗଙ୍କୁ ଯୋଗାଯୋଗ କରା ଯାଇଥିଲା I ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ପ୍ରୋପଜାଲ ଯାଇଛି I ସରକାରଙ୍କ ତରଫରୁ ଅନୁଦାନ ଓ ନିର୍ଦ୍ଦେଶ ଆସିଲେ ପୋଲ କାର୍ଯ୍ୟକାରୀ କରାଯିବ ବୋଲି ମତପ୍ରକାଶ ପ୍ରକାଶ କରିଛନ୍ତି । ଅନ୍ୟ ପଟେ ଗ୍ରାମବାସୀମାନେ କହିବା ଅନୁସାରେ ଯଦି ଏହି ପୋଲ ନିର୍ମାଣ କରାନଯିବ ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାସ୍ତାକୁ ଓଲ୍ହାଇବା ସହ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।