ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ମହାଆଡମ୍ବର ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି । ତଲାରି ଶ୍ରୀ କ୍ଷେତ୍ର ନାମରେ ପ୍ରସିଦ୍ଧ ଓଡ଼ିଶାର ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ସିଂହାସନ ଭିତରେ ଠାକୁରଙ୍କ ଆରତୀ ପରେ ପହଣ୍ଡିରେ ଟାହ୍ୟାକୁ ଝୁଲେଇ ଝୁଲେଇ ଶ୍ରୀଜିଉଙ୍କୁ ସେବାୟତମାନେ ସ୍ନାନ ମଣ୍ଡପକୁ ପାଛୋଟି ଆଣିଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ପୂଜକ ମନୋଜ ପାଢ଼ୀ, ଶ୍ରୀମନ୍ଦିର ସୁଆର ସୁଦାମ ପାଢ଼ୀ, ବ୍ରାହ୍ମଣ ସାହି, କଟିକା ସାହି ଓ ପୁରୁଣା ଗୁଣପୁର ବ୍ରାହ୍ମଣ ସାହିର ସମସ୍ତ ସେବାୟତ ଯଥା ରୀତି ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମାର ପ୍ରସ୍ତୁତି କାର୍ଯ୍ୟ ଆୟୋଜନ କରିଥିଲେ । ପରମ୍ପରା ଅନୁଯାୟୀ ବ୍ରହ୍ମାଶ୍ରୀ ଗୁପ୍ତେଶ୍ୱର ରଥଶର୍ମା ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ୧୦୮ କଳସ ଜଳ ଏବଂ ପଇଡରେ ସ୍ନାନ କରି ଚନ୍ଦନ କସ୍ତୁରୀ ଆଦି ଲାଗିହୋଇ ସ୍ନାନ ମଣ୍ଡପରେ ବିରାଜମାନ ହୋଇଥିଲେ । ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗଜାନନ ବେଶରେ ସୁସଜ୍ଜିତ କରି ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜୀଉ । ଗୁଣପୁର ଏବଂ ଏହାର ଆଖ ପାଖ ଅଞ୍ଚଳରୁ ବହୁ ଭକ୍ତଙ୍କ ସମାଗମ ଏଠାରେ ଦେଖିବାକୁ ମିଳିଥିଲା । ଗୁଣପୁର ଦେବତ୍ତୋର ବିଭାଗ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜିଉ ସ୍ନାନ ମଣ୍ଡପରୁ ଅଣସର ଗୃହକୁ ଯିବେ।