ସମୂହ ଛୁଟିରେ ଗଲେ ଅମଲା ସଂଘ ଚତୁର୍ଥ ଦିନରେ ଅମଲାଙ୍କ ଅନଶନ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ଉପଖଣ୍ଡର ସମସ୍ତ ଅମଲା ଜୁନ୍ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସାମୁହିକ ଛୁଟିରେ ଯାଇଛନ୍ତି। କନିଷ୍ଠ ସହାୟକଙ୍କ ପ୍ରବେଶିକା ଦରମା ହାର ୪୨୦୦ ଟଙ୍କା ଗ୍ରେଡ୍ ପେ ଦାବୀ ପୂରଣ ନ ହେବାରୁ ଅମଲାମାନେ ଏହି ପଦକ୍ଷେପ ନେଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ, ଆଇ.ଟି.ଡି.ଏ , ଆଇ.ସି.ଡ଼ି.ଏସ୍, ଗ୍ରାମ୍ୟ ଉନ୍ନୟନ ଓ ଜଳ ସେଚନ ବିଭାଗର ସମସ୍ତ ଅମଲା ଏଥିରେ ସାମିଲ ହେବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ଅମଲାମାନେ ଧାରଣା ଦେଉଥିବାରୁ ସମସ୍ତ ସରକାରୀ ଦପ୍ତରରେ କାର୍ଯ୍ୟ ଠପ୍ ହୋଇଥିବା ବେଳେ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଅମଲା ମିଳିତ ସଂଘ ଜିଲ୍ଲା ସଭାପତି କହିଛନ୍ତି ଯେ ଦୀର୍ଘ ୬ ବର୍ଷ ହେବ ଉକ୍ତ ଦାବୀ ହେଉଥିଲେ ହେଁ ସରକାର ଏହି ଦାବୀ ପୂରଣରେ ବିଫଳ ହୋଇଛନ୍ତି । ଯଦି ସରକାର ଆମ ଦାବୀକୁ ମାନି ନେଇ ଆମକୁ ଗ୍ରେଡ ପେରେ ବୃଦ୍ଧି କରାଯିବ ବୋଲି ନୋଟିଫିକେଶନ ବାହାର କରି ଗଣମାଧ୍ୟମରେ ପ୍ରେସ ବିବୃତି ଦିଅନ୍ତି ତେବେ ଆନ୍ଦୋଳନରୁ ଓହ୍ଲାଇ ସରକାରୀ କାର୍ଯ୍ୟରେ ପୂର୍ବ ଭଳି ସହଯୋାଗ କରାଯିବ। ଆଜିର ଉକ୍ତ ଆନ୍ଦୋଳନରେ ମିଳିତ ଅମଲା ମଞ୍ଚ ଜିଲ୍ଲା ଶାଖା ଅଧ୍ୟକ୍ଷ ଶ୍ରୀ ଅରୁଣ କୁମାର ପାଢୀ, ଆବାହକ ଶ୍ରୀ ଚିତ୍ତ ରଂଜନ ମହାପାତ୍ର, ଜିଲ୍ଲା ଅମଲା ସଂଘ ସମ୍ପାଦକ ଶ୍ରୀ ଗୋପୀନାଥ ରାଉତ, ରାଜସ୍ବ ଅମଲା ସଂଘ ସମ୍ପାଦକ ଶ୍ରୀ ସନ୍ତୋଷ ନିମଲା, ଜିଲ୍ଲା ସଂଘ ସଦସ୍ୟ ଶ୍ରୀ ମାନସ ସାହୁ , ଶ୍ରୀ ରଂଜିତ ମେଲେକା, ଉପଖଣ୍ଡ ସଦସ୍ୟ ଶ୍ରୀ ଅଜୟ ନାହାକ, ବସନ୍ତ ବେହେରା , ପ୍ୟାରୀ ମୋହନ ପାଣିଗ୍ରାହୀ, ଭି ଶ୍ରୀନୁ, ଶ୍ରୀମତୀ ରଂଜିତା କାର୍ଜି , ଶ୍ରୀମତୀ ସଂତୋଷି ବାଉରୀଙ୍କ ସମେତ ଅନ୍ୟ ଅମଲାମାନେ ଉପସ୍ଥିତ ରହିଥିଲେ।