ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପୂର୍ବାହ୍ନ ୭ ଘଟିକା ସମୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତାଯୁଙ୍ଗୀ ସେକ୍ଟର ହାତୀମୁଣ୍ଡା ପଞ୍ଚାୟତ କସବସା-୧, କସବସା-୨ ଓ ପଣସ ପଦର ଅଙ୍ଗନୱାଡ଼ି କେନ୍ଦ୍ର ତରଫରୁ ଦାରିଂବାଡ଼ି ସିଡିପିଓ ଅଞ୍ଜଳି ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନାବାଳିକାମାନଙ୍କର ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସେମାନେ କସବସା-୨ ଅଙ୍ଗନୱାଡ଼ି କେନ୍ଦ୍ରରୁ ବାହାରି ସମସ୍ତ ୩କି.ମି ଅଞ୍ଚଳ ସ୍ଲୋଗାନ ଦେଇ ଦେଇ ପରିକ୍ରମା କରିଥିଲେ । ଶୋଭାଯାତ୍ରା ପରେ ପୁଣି ଥରେ କସବସା-୨ କେନ୍ଦ୍ରରେ ଏକତ୍ରିତ ହୋଇଥିଲେ । ସେହି ସ୍ଥାନରେ ଅନ୍ୟ ତିନି ଜଣ ଅଙ୍ଗନୱାଡ଼ି କର୍ମୀ ମୁକ୍ତିଲତା ଅଧିକାରୀ, ନିମନ୍ତି ମାଝୀ ଓ ପୁଷ୍ପଲତା ପ୍ରଧାନ ବାଲ୍ୟ ବିବାହ ବିଷୟରେ ଆଲୋକପାତ କରୁ କରୁ ପାଠ ପଢି଼ ଦେଶ ଜାତିର ଗୌରବ ରକ୍ଷା କରିବା ନିମନ୍ତେ ନାବାଳିକାମାନେ ନିଜକୁ ସମର୍ପଣ କରିବା ନିମନ୍ତେ ପ୍ରେରଣା ଦେଇଥିଲେ । ଶେଷରେ ବାଲ୍ୟ ବିବାହ ବିରୁଦ୍ଧରେ ଶପଥ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେହି ଅଞ୍ଚଳର ୫୭ ଜଣ ନାବାଳିକା ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରି ସଚେତନ ହୋଇଥିବାରୁ ଆନନ୍ଦ ପ୍ରକାଶ କରି ଥିଲେ । ଉକ୍ତ କାର୍ଯ୍ୟକ୍ରମରେ କସବସା-୨ କେନ୍ଦ୍ରର ସହାୟକା ସୌଦାମିନୀ ମୁଠାମାଝୀ ଓ ପଣସ ପଦର କେନ୍ଦ୍ରର ସହାୟକା ସୁନୀତା ବିନ୍ଧାଣି ବିଶେଷ ଅଂଶ ଗ୍ରହଣ କରିଥିଲେ । ଶେଷରେ ଏକ ଜଳଯୋଗ ବ୍ୟବସ୍ଥା ପରେ ଶୋଭା ଶେଷ ହୋଇଥିଲା ।