ହିଞ୍ଜିଳିକାଟୁରେ ଜିଲ୍ଲାସ୍ତରୀୟ ଅଖୀ ମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆମ ରାଜ୍ୟ ଓଡ଼ିଶା କୃଷିଭିତ୍ତିକ ରାଜ୍ୟ ଏବଂ ଧାନ ଚାଷ ଆମ କୃଷି ପରମ୍ପରାର ପ୍ରମୁଖ ଅଂଶ । ପ୍ରତିବର୍ଷ ବୈଶାଖ ମାସ କୃଷ୍ଣ ପକ୍ଷ ତୃତୀୟା ତିଥି ବା ଅକ୍ଷୟ ତୃତୀୟାରେ ଚାଷୀମାନେ ଧାନ ବିହନ ବୁଣି ରବି ଋତୁର ଧାନ ଚାଷ ପ୍ରକ୍ରିୟା ପ୍ରାରମ୍ଭ କରିଥାନ୍ତି । ଏହି ପରମ୍ପରା କ୍ରମେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଅକ୍ଷୟ ତୃତୀୟା ଅବସରରେ ହିଞ୍ଜିଳିକାଟୁ ଠାରେ ଆନୁଷ୍ଠାନିକ ଭାବରେ ରବିବାର ଅଖୀ ମୁଠି ଅନୁକୂଳ କରାଯାଇଥିଲା । ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ଅନ୍ତର୍ଗତ ଧୋବାଡି ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଅଖୀ ମୁଠି ଅନୁକୂଳ କରାଯାଇଥିଲା । ଜିଲ୍ଲା ଉନ୍ନୟନ ଅଧିକାରୀ ଭି. କୀର୍ତ୍ତିଭାସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ, ଜିଲ୍ଲା ପ୍ରାଣୀ ଧନ ଅଧିକାରୀ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍ ରଘୁନାଥ ଓ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନେ ମଞ୍ଚାସୀନ ଥିଲେ । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ବଳରାମ ଯୋଜନା ଆଧାରରେ ୮ ଜଣ ଚାଷୀଙ୍କୁ ଋଣ ଏବଂ ଅନେକ ହିତାଧିକାରୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ।