ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଧର୍ମାଞ୍ଚଳର ବ୍ରାହ୍ମଣୀଗାଁ ମଣ୍ଡଳୀ ପକ୍ଷରୁ ଶନିବାର ଦିନ ୫୩ ତମ ମା ‘ ମେରିଙ୍କ ପର୍ବ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ଧର୍ମାଞ୍ଚଳର ମୁଖ୍ୟ ଯାଜକ ରବି ସଭା ସୁନ୍ଦରଙ୍କ ତତ୍ତ୍ୱାବଧାନରେ ଲୁର୍ଦ୍ ମେରୀ ଗ୍ରାମ୍ୟ ପରିଚାଳନା କମିଟି ଦ୍ବାରା ଆୟୋଜିତ ପର୍ବ ପାଳନରେ ମୁଖ୍ୟ ଅତିଥି ଭାବେ ମଣ୍ଡାସୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ମନୋରଞ୍ଜନ ସିଂ ଯୋଗ ଦେଇ ମିଳିତ ଦିବ୍ୟ ଯଜ୍ଞରେ ମୁଖ୍ୟ ପୌରହିତ୍ୟ କରିଥିବା ବେଳେ ଯାଜକ ରାଜୀବ ବଳିଆର ସିଂ ବାଇବଲରୁ ଯୀଶୁଙ୍କ ବାକ୍ୟ ପରିବେଷଣ କରିବା ସହ ମା’ ମେରୀଙ୍କ ପର୍ବ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ । ବାଇବଲ ପଠନରେ ମିସ୍ ସରିତା, ସୁବାଷ ବଳିଆର ସିଂ ଓ ଦିକେନ୍ ଶୁକଦେବ ନାୟକ ସୁସମାଚାର ପଠନ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଶୁକ୍ରବାର ଦିନ ଅପରାହ୍ନରେ ଗ୍ରାମବାସୀମାନେ ନାଚ ଗୀତ କରି ଆନନ୍ଦ ଉତ୍ସାହର ସହ ଅତିଥି ଯାଜକମାନଙ୍କୁ ସ୍ଥାନୀୟ ଶିବ ମନ୍ଦିର ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଚର୍ଚ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ I ତାପରେ ଅତିଥିମାନଙ୍କ ଗହଣରେ ମୁଖ୍ୟ ଯାଜକ ରବି ସଭା ସୁନ୍ଦର ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ I ଶନିବାର ଦିନ ଆୟଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଚାଳନା କମିଟିର ସମ୍ପାଦକ ପ୍ରଶାନ୍ତ ନାୟକ ସମସ୍ତ ଅତିଥି ଓ ବିଶ୍ବାସୀ ବୃନ୍ଦଙ୍କୁ ସ୍ଵାଗତ କରିବା ସହ ମୁଖ୍ୟ ଯାଜକ ଶ୍ରୀ ସଭା ସୁନ୍ଦର ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଯାଜକ ମନୋରଞ୍ଜନ ଓ ଅନ୍ୟ ଅତିଥି ଯାଜକମାନଙ୍କ ଗହଣରେ ମିଳିତ ଦିବ୍ୟ ଯଜ୍ଞ ଅନୁଷ୍ଠାନ କରି ଈଶ୍ବରଙ୍କ ନିକଟରେ ଆଶିଷ ଭିକ୍ଷା କରିଥିଲେ । ସନ୍ଧ୍ୟା ସମୟରେ ମା’ ମେରୀ ଙ୍କ ପ୍ରତିମୂର୍ତ୍ତିକୁ ନେଇ ବିଶ୍ୱାସୀ ମାନେ ସ୍ଥାନୀୟ ଚର୍ଚ୍ଚ ରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ମା ମେରୀଙ୍କ ଗୁମ୍ଫା ପର୍ୟ୍ୟନ୍ତ ଯାଇ ସେଠାରେ ପ୍ରାର୍ଥନା ଓ ଉପାସନା କରିଥିଲେ I ଯାଜକ ଦୀନବନ୍ଧୁ ନାୟକ ସାନ୍ଧ୍ୟ ଉପାସନାରେ ପ୍ରଭୁଙ୍କ ବାକ୍ୟ ପ୍ରଚାର କରିଥିଲେ ଓ ଯାଜକ ରଶ୍ମି ରଞ୍ଜନ ନାୟକ ଙ୍କ ନିର୍ଦ୍ଦଶନାରେ ଥମାସ, ନିତିନ, ପରସ ଓ ପ୍ରସନ୍ନଙ୍କ ସଙ୍ଗୀତ ଦଳ ଯଜ୍ଞରେ ଭକ୍ତି ସଙ୍ଗୀତ ଗାନ କରିଥିଲେ । ରାତ୍ରିରେ ବ୍ରାହ୍ମଣୀଗାଁ ଖ୍ରୀଷ୍ଟୀୟ କଳା ପରିଷଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା I ନାଟ୍ୟ ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ଦାସଙ୍କ ନିର୍ଦ୍ଦେଶନାରେ ” ଅକୁହା କାହାଣୀ ଶୁଣିବ କିଏ” ନାଟକ ସ୍ଥାନୀୟ କଳାକାରମାନେ ମଞ୍ଚସ୍ଥ କରିଥିଲେ । ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମାରିଆନ ଉଠାଣ ସିଂଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ ନାୟକ, ବିପିନ ସଭା ସୁନ୍ଦର, କୁକୁ ମନ୍ତ୍ରୀ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିବା ବେଳେ ଆଖ ପାଖ ଅଞ୍ଚଳ ତଥା ବାହାର ଜିଲ୍ଲାରୁ ଶତାଧିକ ଭକ୍ତ ଭକ୍ତା ରୁଣ୍ଡ ହୋଇଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନଙ୍କ ନେତୃତ୍ବରେ ପୁଲିସ ଫୋର୍ସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।