ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରର ବର୍ତ୍ତମାନ ଦହନୀୟ ଅବସ୍ଥାର ଏକ ଅବିକଳ ଚିତ୍ର ଦେଖିବାକୁ ମିଳିଛି l ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓ ଜଗନ୍ନାଥପୁର ଚିକିତ୍ସାଳୟରେ ଅଧିନରେ ଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ରହିଥିବା କର୍ମଚାରୀ ସାର୍ଟିଫିକେଟ ପ୍ରଦାନ କରିବାରେ ମାସ ମାସ ଧରି ଅହେତୁକ ବିଲମ୍ବ କରୁଥିବା ଅଭିଯୋଗ ହେଉଛି । ଏପରିକି ଜଗନ୍ନାଥପୁର ଚିକିତ୍ସାଳୟରେ ରାତ୍ର ସମୟରେ ନିୟୋଜିତ କର୍ମଚାରୀ ମୁଖ୍ୟ ଫାଟକ ବନ୍ଦକରି ଶୋଇ ଯାଉଥିବାରୁ ଜରୁରୀ କାଳୀନ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଫାଟକ ଡେଇଁ ଯିବାକୁ ପଡୁଥିବା କହିଛନ୍ତି । ଏମିତିକି ଫାଟକ ଡେଇଁ ଭିତରକୁ ଯାଇ ଡାକିବା ପରେ ମଧ୍ୟ କବାଟ ଖୋଲୁ ନଥିବା ଅଭିଯୋଗ ଉଠିଛି । ଯାହା ଦ୍ଵାରା ଗରୀବ ସାଧାରଣ ଜନତା ହଇରାଣ ହେଉ ଥିବା କହିଛନ୍ତି । ଜନ୍ମ ମୃତ୍ୟୁ ପ୍ରମାଣପତ୍ର ଆବେଦନ କରିବା ତିନି ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରିବା ନିମନ୍ତେ ସରକାରୀ ନିୟମ ରହିଥିବା ବେଳେ ଦାୟିତ୍ବରେ ଥିବା କର୍ମଚାରୀ ଏଥିପ୍ରତି ଖାତିର କରୁନ ଥିବା ଅଂଚଳ ବାସୀ କହିଛନ୍ତି । ଏହି ବିଭାଗ ଗୁଣପୁର ପୌର ପରିଷଦ ଅଧୀନରେ ଥିବାବେଳେ ସାର୍ଟିଫିକେଟ ଦେବାରେ ମାସାଧିକ ସମୟ ହେଉଥିଲା l କିନ୍ତୁ ଏବେ ତାହା ଚିକିତ୍ସାଳୟ ଅଧିନକୁ ଆସିବା ପରେ ବର୍ଷାଧିକ୍ କାଳ ସମୟ ଲାଗୁ ଥିବା ଆବେଦନ କାରୀ ମତପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲା ଅଧିକାରୀଙ୍କ ଆନ୍ତରିକତା ନଥିବା ସ୍ଵଷ୍ଟ ବାରି ହେଉଅଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଛି । ଜିଲ୍ଲା ପ୍ରଶାସନ ଅଧିକାରୀ ଏହି ଦିଗରେ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅପରପକ୍ଷରେ ଏହାର ତୁରନ୍ତ ସମାଧାନ ନ ହେଲେ ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି ।