ଦାବି ପୂରଣ ନ ହେଲେ ଗଣଧାରଣା ଜାରି ରହିବ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ ସୋମବାର ଗାଲେରୀ ମେଡ଼ିକାଲ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦିଆଯାଇଛି । ଏନେଇ ଏକ ଦାବିପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି ।  ଭାରତୀୟ ମଜଦୂର ସଂଘ ଡାକରାରେ ୭ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ନେଇ ବ୍ଲକ ଆଶାକର୍ମୀ ସଂଘ ପକ୍ଷରୁ କୁହାଯାଇଛି । ଭଞ୍ଜନଗର ବ୍ଲକ ଓ ଏନ୍‌ଏସିର ଶତାଧିକ ଆଶାକର୍ମୀ ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମାସିକ ୧୮ ହଜାର ଟଙ୍କା ଦରମା, ପେନ୍‌ସନ୍‌ ୫ ହଜାର ଟଙ୍କା, ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କା ସହାୟତା ଓ ସ୍ଥାୟୀ ନିଯୁକ୍ତି ଆଦି ଦାବି କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ମିଳିଛି ।