ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପାଇକମାଳ ବ୍ଲକର ଲଉଡ଼ମାଲ ସ୍ଥିତ ମହାମାୟା ପରିସରରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ମୁଖ୍ୟମନ୍ତ୍ରୀଙ୍କର କର୍ତ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପ୍ରଥମେ ମୁଖ୍ୟମନ୍ତ୍ରୀ ୨୦୨୩ରେ ପଦ୍ମପୁରର ବିକାଶ ତାଲିକା ଧରି ଆସନ୍ତୁ ତା ପରେ ୨୦୨୪ ସାଧାରଣ ନିର୍ବାଚନରେ ପଦ୍ମପୁର ବାସୀ ବିଜେଡିକୁ ଭୋଟ ଦେବା କଥା ବିଚାର କରିବେ । ଏବେ ୨୦୨୨ ଡିସେମ୍ବର ୫ ଉପନିର୍ବାଚନରେ କଂଗ୍ରେସ ପାର୍ଥି ସତ୍ୟ ଭୂଷଣ ସାହୁଙ୍କୁ ଭୋଟ ଦିଅନ୍ତୁ।
ଶ୍ରୀଯୁକ୍ତ ସତ୍ୟ ଭୂଷଣ ସାହୁ ଏହି ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ବିଜେଡି ଦଳ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତଥା ବରଗଡ଼ ଜିଲ୍ଲା ବାହାରୁ ଲୋକଙ୍କୁ ଆଣି ମୁଖ୍ୟମନ୍ତ୍ରୀଙ୍କ ରାଲି ପାଇଁ ଲୋକ ଆଣିଛି । ଜଣେ ବିଧାୟକ ପାର୍ଥି ପାଇଁ ସର୍ବୋଚ୍ଚ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ସୀମା ଥିବାବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନ କରିଛି । ନିର୍ବାଚନ କମିଶନର ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଦାବି କରିଥିଲେ ।

ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ତାଙ୍କ ଅଭିମତରେ ଦର୍ଶାଇଥିଲେ ଯେ ରାଜ୍ୟ ନବୀନ ସରକାରଙ୍କ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ କ୍ରମାଗତ ଅବହେଳା କ୍ଷମଣୀୟ ନୁହେଁ । ସେ ଉଦାହରଣ ଦେଇ କହିଥିଲେ ଯେ ପଦ୍ମପୁରକୁ ଜିଲ୍ଲା କରିବା କେବଳ ପ୍ରତିଶୃତି ରେ ରହିଗଲା । ଗତ ଡିସେମ୍ବର ୧ ୨୦୨୨ରେ ମୋରଡ଼ା ବିଧାୟକ ଶ୍ରୀଯୁକ୍ତ ରାଜକିଶୋର ଦାଶଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟରେ ନୂଆ ଜିଲ୍ଲା ଗଠନ କରିବାର କୌଣସି ପ୍ରସ୍ତାବ ନାହିଁ ବୋଲି ରୋକ ଠୋକ ମନା କରିଦେଇଥିବା ସ୍ଥଳେ ମୁଖ୍ୟମନ୍ତ୍ରୀ ପଦ୍ମପୁରର ସାଧାରଣ ସଭାରେ ପଦ୍ମପୁରକୁ ଜିଲ୍ଲା କରିବା ଘୋଷଣା କରିବା କେତେଦୂର ଗ୍ରହଣୀୟ ? ବିଜେଡି ସରକାର କାହାକୁ ଠକୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଚାଷୀମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନା ରାଜ୍ୟ ସରକାର ଏମଏସ୍ପି ଧାନ ଦର ବଢ଼ାଇଲେ ନାହିଁ କିମ୍ବା ମରୁଡି ପ୍ରପିଡ଼ିତ ପଦ୍ମପୁର ପାଇଁ ଅଙ୍ଗ ନଦୀ ଉପରେ ଜଳ ପ୍ରକଳ୍ପ କଲେ ନାହିଁ । ବର୍ଷ ବର୍ଷ ଧରି ଧାନର ଅଭାବୀ ବିକ୍ରି ସତ୍ବେ କୌଣସି ପଦକ୍ଷେପ ନେଲେନାହିଁ । ଇନପୁଟ ସବସିଡି ପକାଇ ରଖି ଉପନିର୍ବାଚନ ପରେ ଘୋଷଣା କଲେ । ଅନୁରୂପ ଭାବେ କେନ୍ଦ୍ର ବିଜେପି ସରକାର ମଧ୍ୟ ବରଗଡ଼-ନୂଆପଡା ଭାୟା ପଦ୍ମପୁର ରେକପଥ ନିର୍ମାଣ ଦାବି ପ୍ରତି ଅଣଦେଖା ଚାଲିଛନ୍ତି । ଗନ୍ଧମାର୍ଦନକୁ ଇକୋ ସେଂସିଟିଭ ଯୋନରେ ରାଜ୍ୟସରକାରଙ୍କ ସୁପାରିଶ ଥାଇ ମଧ୍ୟ ଘୋଷଣା କରୁନାହାନ୍ତି । ସୁତରାଂ ବିଜେଡି ଓ ବିଜେପିର ପଦ୍ମପୁର ପ୍ରତି ବୈମାତୃଭାବ ପ୍ରତିବାଦରେ କଂଗ୍ରେସର ଯୋଗ୍ୟ ତଥା ସଚୋଟ ପାର୍ଥି ସତ୍ୟ ଭୂଷଣ ସାହୁଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି ।
ଏହି ସାମ୍ୱାଦିକ ସମ୍ମିଳନିରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ଜଗନ୍ନାଥ ପଟ୍ଟନାୟକ, ରାଜ୍ୟ ମହିକା କଂଗ୍ରେସ ସଭାପତି ବନ୍ଦିତା ପରିଡା, ବରିଷ୍ଠ କଂଗ୍ରେସ ନେତା ଜଙ୍ଗେଶ୍ୱର ବାବୁ, ଜିଲ୍ଲା କଂଗ୍ରେସ ସଭାପତି ନିହାର ମହାନନ୍ଦ ଅନୁସୂଚିତ ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା ଓ ପୂର୍ବତନ ବିଧାୟକ ବିନୋଦ ପାତ୍ର ଉପସ୍ଥିତ ଥିଲେ ବୋଲି ପିସିସି ଗଣମାଧ୍ୟମ ବିଭାଗ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।