ଅନୁସନ୍ଧାନ ଭାରତ(ବ୍ୟୁର): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ଅଳିଆ ସଫା ମେସିନ୍ ଜଟାୟୁ ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳୀ ଅନ୍ତର୍ଗତ ଆଠ ନମ୍ବର ଓାର୍ଡର ଡ୍ରଷ୍ଟ୍ରିଟ ସେଣ୍ଟର ଠାରେ ଅନୁଷ୍ଟିତ ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମେୟର ସୁଲୋଚନା ଦାସ ଉଦ୍ଘାଟନ କରିଥିଲେ । ସେ କହିଥିଲେ ଭୁବନେଶ୍ୱର ପରିମଳ ବ୍ୟବସ୍ଥାକୁ ସ୍ମାର୍ଟ କରିବା ପାଇଁ ସ୍ମାର୍ଟ ସଫେଇ ମେସିନ୍ ଜଟାୟୁକୁ ସାମିଲ କରାଯାଇଛି । ଏହି ମେସିନ୍ ମାଧ୍ୟମରେ କାଣ୍ଡି ହୋଇଥିବା ଅଳିଆ ଓ ମୁଖ୍ୟ ରାସ୍ତାରେ ପଡୁଥିବା ଅଳିଆ ସ୍ୱଳ୍ପ ସମୟ ଭିତରେ ସଫା ହୋଇପାରିବ ।
ନୂତନ ଜ୍ଞାନ କୌଶଳରେ ନିର୍ମିତ ଏହି ଜଟାୟୁ ମେସିନ୍ ଦୃତ ଓ ବୃହତ ଭ୍ୟାକୁମ୍ କ୍ଲିନର ଦ୍ୱାରା ଛୋଟ ଇଟା, ପଥର, ପଇଡ ଖୋଳ, କାଠ ଠାରୁ ଆରମ୍ଭ କରି ଡାଳ, ପତ୍ର, କାଗଜ ଇତ୍ୟାଦି ମାତ୍ର କେଇ ମିନିଟ୍ ସମୟ ମଧ୍ୟରେ ସଫା କରି ପାରୁଛି । ଯାହା ଦ୍ୱାରା କମ୍ ସମୟ ମଧ୍ୟରେ ବହୁତ ଏରିଆ ସଫା କରାଯାଇ ପାରିବ । ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ କହିଥିଲେ ସଫେଇ କର୍ମଚାରୀ ମାନେ ଝାଡୁ କରି ଯେଉଁ ଅଳିଆ ସବୁ କାଣ୍ଡି କରୁଛନ୍ତି ତାକୁ ଉଠାଇବା ପାଇଁ ଏହା ବହୁତ ସାହାର୍ଯ୍ୟ କରିବ । କମ୍ ଲୋକ ଓ ଗାଡି ଦ୍ୱାରା ଶୀଘ୍ର ଅଳିଆ ଉଠି ପାରିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ମଞ୍ଜୁଲତା କହଁର, ପରିମଳ କମିଟିର ଅଧ୍ୟକ୍ଷ ତଥା କର୍ପୋରେଟା ବିରଞ୍ଚି ନାରାୟଣ ମହାସୂପକାର, ଅତିରିକ୍ତ କମିଶନର ମୟୁର ସୁର୍ଯ୍ୟବଂଶୀ, ଡେପୁଟି କମିଶନର ଲକ୍ଷ୍ମୀକାନ୍ତ ସେଠୀ, ପୁରନ୍ଦର ନନ୍ଦ, କର୍ପୋରେଟର ଲାଲ ମୋହନ ଟୁଡୁ, ମୋନାଲିସା ସାହୁ, ମିହିର କୁମାର ରାଉତ, ମୋନାଲିସା ବେହେରା, ପ୍ରୀତିନନ୍ଦା ରାଉତରାୟ, ଯୁବନେତା ମନୋଜ ସାହୁ, ଠିକା ସଂସ୍ଥା ପ୍ରତ୍ୟୁଷର ମୁଖ୍ୟ ବଳରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ପ୍ରତ୍ୟୁଷ ପକ୍ଷରୁ ଏହି ମେସିନ୍ ସହିତ ଅଣା ଯାଇଥିବା ୨୪ ଘଣ୍ଟିଆ ଜରୁରୀ କାଳୀନ ଅଳିଆ ବୁହା ଗାଡିକୁ ମେୟର ନିଜେ ଚଳାଇ ଉଦଘାଟନ କରିଥିଲେ ।