ସ୍କୁଟିକୁ ଧକ୍କା ଦେଲା ପଲସର ବାଇକ: ଦୁଇ ମହିଳା ସରକାରୀ କର୍ମଚାରୀ ମୃତ୍ୟୁ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ସକାଳ ୮.୩୦ ରେ ଲିଙ୍ଗାଗଡ଼ ପଞ୍ଚାୟତର ନିଲୁଙ୍ଗିଆ ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି I ପଲସର ୨୨୦ ବାଇକ ନମ୍ବର OD-12C -2597 ଚାଳକ ଗ୍ରେସିଙ୍ଗିଆର ନିପୁରାସ ନାୟକ (17) ନାବାଳକ ଦ୍ରୁତ ଗତିରେ ରାଇକିଆ ପଟୁ ଘୁ.ଉଦୟଗିରି ଅଭିମୁଖେ ଆସୁଥିଲେ I ସ୍କୁଟି OD-12C-1727 ଧରି ବିମଳା ପ୍ରଧାନ (47) କ୍ଲର୍କ ଏବଂ ପ୍ରଦୀପ୍ତା ସାହୁ (34) କାର୍ଯ୍ୟରତ ଶିକ୍ଷୟିତ୍ରୀ ଲିଙ୍ଗାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ଅଭିମୁଖେ ଯାଉଥିଲେ I ଏହି ସମୟରେ ନିଲୁଙ୍ଗିଆ ପହଞ୍ଚିବା ପୂର୍ବରୁ ଏକ ବୁଲାଣି ରାସ୍ତାରେ ପଲସର ବାଇକ ଉକ୍ତ ସ୍କୁଟିକୁ ଶକ୍ତ ଧକ୍କା ଦେବା ଫଳରେ ଦୁଇ ମହିଳା ଗୁରୁତ୍ୱର ଆହତ ହୋଇଥିଲେ I ଘଟଣା ସ୍ଥଳରେ ଲିଙ୍ଗାଗଡ଼ ସରପଞ୍ଚ ଅବଲାକର ପ୍ରଧାନ ପହଞ୍ଚି ଅଟୋ ସାହାଯ୍ୟରେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ I ନାବାଳକଙ୍କ ଦ୍ରୁତଗତିରେ ଗାଡ଼ି ଚାଳନା ଯୋଗୁଁ ଦୁଇ ଦୁଇଟି ନିରୀହ ଜୀବନ ଚାଲିଯାଇଥିବାରୁ ସ୍ଥାନୀୟ ଲୋକେ ଦୁଃଖ ପ୍ରକଟ କରିଛନ୍ତି I ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଡିଓ ଆଶିଷ ତ୍ରିପାଠୀ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣେଇଛନ୍ତି I ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ଦୁର୍ଘଟଣା ସ୍ଥଳ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦୁର୍ଘଟଣା ବିଷୟରେ ଯାଞ୍ଚ କରୁଛନ୍ତି I