ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁରେ ପରିବର୍ତ୍ତନ ମେଳା ଅନୁଷ୍ଠିତ, ରାସ୍ତା ନିର୍ମାଣ ପାଇଁ ଦାବୀ କଲେ ଗାଁ ଲୋକେ…..
ଅନୁସନ୍ଧାନ ଭାରତ(ବ୍ୟୁର): ପରିବର୍ତ୍ତନ ମେଳାରୁ ଆସିବ ପରିବର୍ତ୍ତନ । ଗାଁର କୋଣ ଅନୁକୋଣର ସମସ୍ୟା ଜାଣିବ ପ୍ରଶାସନ । ଏହି ଲକ୍ଷରେ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ ଅନୁସାରେ ଗ୍ରାମୀଣ ସ୍ତରରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଓ ସରକାରୀ ବ୍ୟବସ୍ଥାକୁ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ପଞ୍ଚାୟତର ଗାଁ ଗୁଡିକରେ ଏହି ପରିବର୍ତ୍ତନ ମେଳାର ଆୟୋଜନ କରାଯାଉଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଗ୍ରେସିଙ୍ଗିଆ ପଞ୍ଚାୟତର ସୁଗାମାହା ଗାଁରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ପରିବର୍ତ୍ତନ ମେଳାରେ ସମସ୍ତ ବିଭାଗର ଅଧିକାରୀମାନେ ନିଜ ନିଜ ବିଭାଗର ସରକାରୀ ଯୋଜନା ବିଷୟରେ ଉପସ୍ଥିତ ଲୋକଙ୍କୁ ଅବଗତ କରେଇଥିବା ବେଳେ ଉପସ୍ଥିତ ଜନସାଧାରଣ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ପଚାରି ବୁଝିଥିଲେ । ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ତତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷା ସୁଷମା ପ୍ରଧାନଙ୍କ ଅଧ୍ୟକ୍ଷତାରେ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ପ୍ରଧାନ, ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନ, ଅନ୍ୟ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟା ପୁର୍ଣିମା ପ୍ରଧାନ ଓ ଅନ୍ୟ ପଞ୍ଚାୟତ ସମିତି ସଭ୍ୟ, ଜିଲ୍ଲା ଏମାର୍ଜେନ୍ସୀ ଅଫିସର ବସନ୍ତ କୁମାର ପାଣିଗ୍ରାହୀ, ସ୍ଥାନୀୟ ତହସିଲଦାର ଶୁଭ୍ରାଂଜଳୀ ପ୍ରଧାନ, ଗ୍ରେସୀଙ୍ଗିଆ ମେଡ଼ିକାଲ ଅଫିସର ଡକ୍ଟର ସଦ୍ଦାବ କାଦ୍ରି, ବ୍ଲକ ଏଇଇ ଅସିତ କୁମାର ସେଠୀ, ସିଡିପିଓ ସାବିତ୍ରୀ ମଲିକ, ପିଇଓ ବାବୁଲା ସାହୁ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଗ୍ରେସୀଙ୍ଗିଆ ପଞ୍ଚାୟତରେ ବିଭିନ୍ନ ସମସ୍ୟା ଥିବା ବେଳେ ସୁଗାମାହା ଗ୍ରାମକୁ ଯିବାପାଇଁ ସମସ୍ତଙ୍କୁ ଅତ୍ୟାବଶ୍ୟକ ପକ୍କା ସଡ଼କ ନଥିବା ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀଙ୍କୁ ପ୍ରଦାନ କରାଯାଇଥିଲା । ଗ୍ରାମବାସୀ ଆଶା କରିଛନ୍ତି ପରିବର୍ତ୍ତନ ମେଳା ପରେ ଗାଁରେ ଆସିବ ପରିବର୍ତ୍ତନ ।