ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ତଲାରିମାହା ପଞ୍ଚାୟତର ତଳବାଲୁମାହା ଗାଁର ୱାର୍ଡ଼ ନମ୍ବର-୮ର ବାସିନ୍ଦା ଯୁଧିଷ୍ଠିର ନାୟକ (୩୪) l ଶିକ୍ଷାଗତ ଯୋଗ୍ୟତା କହିଲେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି l ମାଆ ଚମ୍ପାବତୀ ନାୟକ ଓ ବାପା ସ୍ବର୍ଗତଃ ନିତ୍ୟାନନ୍ଦ ନାୟକ l ୨୦୦୭ରୁ ବାପାଙ୍କ ମୃତ୍ୟୁ ବରଣ କରିବା ପରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡିଛି l ଦୀର୍ଘ ବର୍ଷ ଧରି ଗଣ୍ଠି ବାତରେ ପୀଡିତ ଥିବା କାରଣରୁ ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି l ଯୁବକଙ୍କ ଶରୀର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରୁ ପାଠ ପଢ଼ା ମଧ୍ୟ ଅଧାରୁ ଡୋରି ବନ୍ଧାହେଲା l ଏନେଇ ପୂର୍ବତନ ବହୁ ଜନପ୍ରତିନିଧି ତଥା ସରପଞ୍ଚଙ୍କୁ ମଧ୍ୟ ବହୁବାର ଅବଗତ କରାଇଥିଲେ ସୁଦ୍ଧା ପ୍ରତିଶୃତି ପ୍ରତିଶୃତିରେ ରହିଗଲା ଏବଂ କୌଣସି ସୁଫଳ ମିଳିଲାନାହିଁ l ଏଭଳି ପରିସ୍ଥିତିରେ ଭେଣ୍ଡା ପୁଅର ସେବା ଯତ୍ନ କରି ଆସୁଛନ୍ତି ତାଙ୍କର ବିଧବା ମାଆ ଚମ୍ପାବତୀ ନାୟକ l ଅଭାବ ଅନାଟନ ଭିତରେ ମାଆ ମୁଲ କରି ଓ ଛେଳି ଚରେଇ ଯାହା ରୋଜଗାର କରୁଛନ୍ତି ଦୁହେଁ ମାଆ ପୁଅ ବାଣ୍ଟିକୁଣ୍ଟି ଦୁଇ ଓଳି ଖାଇ ବଞ୍ଚିଛନ୍ତି l ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ଯୋଗୁଁ ଚିକିତ୍ସାରେ ବାଧା ସୃଷ୍ଟି ହୋଇଛି l ତାଙ୍କର ଜଣେ ଭଉଣୀ ଯେ କି ବାଲିଗୁଡ଼ାରେ ବିବାହ କରିଛନ୍ତି ଏବଂ ଜଣେ ସାନ ଭାଇ କେରଳରେ ଦାଦନ ଖଟୁଛନ୍ତି l ସରକାରଙ୍କ ଦ୍ୱାରା ଅକର୍ମଣ୍ୟ ଭତ୍ତା ମାସିକ ୭୦୦ଟଙ୍କା ପାଉଛନ୍ତି ଯୁଧିଷ୍ଠିର l ଗଣ୍ଠି ବାତ ଯୋଗୁଁ ଶରୀର ଦୁର୍ବଳ ହୋଇଯାଇଛି ଫଳରେ ଚଲା ବୁଲା କରିପାରୁନାହାନ୍ତି ଯୁଧିଷ୍ଠିର l ବିଧବା ମାଆ ଅକର୍ମଣ୍ୟ ପୁଅର ସମସ୍ତ ଯତ୍ନଭାର ନେଇଛନ୍ତି l ଯଦି ସରକାରଙ୍କ ଠାରୁ ଆର୍ଥିକ ସାହାଯ୍ୟ ମିଳେ ତାହାହେଲେ ବଡ଼ ମେଡିକାଲରେ ଚିକିତ୍ସା କରି ନୂତନ ଜୀବନ ପାଇବେ ବୋଲି ଆଶା ବାନ୍ଧିଛନ୍ତି ଯୁଧିଷ୍ଠିର ନାୟକ ଓ ପରିବାର ଲୋକେ l