ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଆଜି ୧୩୮-ଗୁଣପୁର ଓ ୧୩୯-ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସଂଶୋଧନ ସମୀକ୍ଷା ବୈଠକ ଗୁଣପୁର ଉପ-ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଉପ-ଜିଲ୍ଲାପାଳଙ୍କ ସଦ ଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇ ଯାଇଛି । ୯-୧୧-୨୨ ତାରିଖ ଠାରୁ ଆରମ୍ଭ ହୋଇଥବା ଭୋଟର ତାଲିକା ସଂଶୋଧନ, ଯୋଗ, ବାଦ ସହ ଭୋଟର କାର୍ଡ ସହ ଆଧାର ଲିଙ୍କ କେଉଁ ବ୍ଲକରେ କେତେ ପରିମାଣରେ ହୋଇଛି, ତାହାର ସମୀକ୍ଷା କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ମହାବିଦ୍ୟାଳୟ, ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଆପ ମାଧ୍ୟମରେ ଭୋଟର ତାଲିକାରେ ନାମ ଯୋଗ, ବାଦ, ସଂଶୋଧନ ଓ ଆଧାର ଲିଙ୍କ କରିବା ପ୍ରଶିକ୍ଷଣ ଦେବାପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କୁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗୁଣୁପୁର ଓ ବିଷମ କଟକ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଭୋଟରମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦେବା ସହ ଭୋଟର ପରିଚୟ ପତ୍ର ଆଧାର ଲିଙ୍କ ତୁରନ୍ତ କରିବା ପାଇଁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ । ଏହି ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜାରି ହୋଇଥିବା ଭିଡିଓ ମାଧ୍ୟମରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନିର୍ବାହୀ ଅଧିକାରୀମାନଙ୍କ ସଚେତନ କରାଯାଇଥିଲା । ୨୬ ଓ ୨୭ ନଭେମ୍ବର ୨୦୨୨ରେ ହେବାକୁ ଥିବା ସ୍ୱତନ୍ତ୍ର ବୁଥ ପରିଦର୍ଶନ କାର୍ଯ୍ୟ ଶତ ପ୍ରତିଶତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୁଣପୁର ପୌର ନିର୍ବାହୀ ଅଧିକାରୀ, ଗୁଡାରି ପୌର ନିର୍ବାହୀ ଅଧିକାରୀ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ-ବିଭାଗର ସୁଶାନ୍ତ କୁମାର ଦାସ, ପ୍ରସନ୍ନ କୁମାର ପଣ୍ଡା ପ୍ରଶିକ୍ଷଣ ଦେବା ସହ ପରିଚାଳନା କରିଥିଲେ ।