ବିଜେପି ପକ୍ଷରୁ ଭଞ୍ଜନଗର ବ୍ଳକ ଘେରାଉ ଓ ଧାରଣା, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ……

ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକର ୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଳକ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଉନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ପରିପ୍ରେକ୍ଷିରେ ଆଜି ଦଳ ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ବିଜେପିର ବହୁ ନେତା ଓ କର୍ମୀ ବ୍ଳକ୍ କାର୍ଯ୍ୟାଳୟ ଭିତରକୁ ଧସେଇ ପସିବା ସହ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟମାନେ ପୂର୍ବରୁ ବିଜେପି ନେତାଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ସେମାନେ ନିର୍ବାଚିତ ହୋଇଥିଲେ ମଧ୍ୟ ପଞ୍ଚାୟତମାନଙ୍କରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ପାରୁନାହିଁ । ପଞ୍ଚାୟତ ଗୁଡ଼ିକରେ ଗ୍ରାମସଭା ଏବଂ ପଲ୍ଲୀସଭା କରାଯାଇ ତାହାକୁ ନିର୍ଦ୍ଧାରଣ କରି ଭତ୍ତା ପଞ୍ଚାୟତ ଗୁଡ଼ିକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଲିଖିତ ଭାବେ ଦିଆ ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନଥିବା ଅଭିଯୋଗ କରିଥିଲେ । ମନରେଗା ଯୋଜନାରେ ପଞ୍ଚାୟତ ଏବଂ ବ୍ଳକ ସ୍ତରୀୟ ଅଧିକାରୀମାନେ ଅସହଯୋଗ ଓ ଅଣଦେଖା କରୁଥିବା ଅଭିଯୋଗ କରିବା ସହ ଭତ୍ତା ଓ ସରକାରୀ ଗୃହ ସହାୟତା ପ୍ରଦାନ କରିବା ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଉଥିବା ଅଭିଯୋଗ କରି ଧାରଣା ଦେଇଥିଲେ । ବ୍ଳକର ଡୁମାକୁମ୍ପା, ବଡ଼କୋଦଣ୍ଡା, ସାନକୋଦଣ୍ଡା, ଗୁଣ୍ଡୁରୀବାଡ଼ି, ଦଦରାଲୁଣ୍ଡା, ବାଉଶଲୁଣ୍ଡି, ଢ଼ିହପଢାଳ, ଗୋଲାପଡା, ତୁରୁମୁ ଓ ତିଳିସିଙ୍ଗ, ଗାଲେରୀ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟମାନଙ୍କୁ ଅଣଦେଖା କରିବା ସହ ବିଜେପି ନେତାଙ୍କୁ ବିରୋଧ କରାଯାଉଥିବା ଅଭିଯୋଗ କରିଥିଲେ । ବିଜେପି ପକ୍ଷରୁ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ରୋଷେଇ କରି ଅହୋରାତ୍ର ଧାରଣା ଦେବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ପୁଲିସ୍ ବୁଝାସୁଝା କରିବା ପରେ ରୋଷେଇ କାର୍ଯ୍ୟ ବାହାର କରାଯାଇଥିଲା । ଏଥିସହ ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ,ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନୀ, ଥାନା ଅଧିକାରୀ ଧୀରେଶ ଦାସ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ଶେଖର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ଆନ୍ଦୋଳନରୁ ହଟିବା ପାଇଁ ବିଜେପି ନେତା ଓ କର୍ମୀଙ୍କୁ ବୁଝାସୁଝା କରିଥିଲେ । କିଛି ସମୟ ପାଇଁ ବ୍ଳକ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଉପଜିଲ୍ଲାପାଳ ଶ୍ରୀ ରାୟ ବିଭିନ୍ନ ଭତ୍ତା ପାଇଁ ପଞ୍ଚାୟତ ପ୍ରତିନିଧି ସହ ଆଲୋଚନା କରି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଥିବା ବିଜେପି କର୍ମୀମାନଙ୍କୁ କହିଥିଲେ । ଏଥିସହ ଏକ ମାସ ମଧ୍ୟରେ ସମସ୍ତଙ୍କୁ ଭତ୍ତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ ନେତା ଓ କର୍ମୀମାନେ ଆନ୍ଦୋଳନରୁ ଓହରି ଥିଲେ । ଏଥିରେ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ, ବିନାୟକ ତ୍ରିପାଠୀ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ଅଯୋଧ୍ୟାନାଥ ମହାପାତ୍ର, ସନ୍ତୋଷ ତିଆଡି, ନୀଳମାଧବ ପାତ୍ର, ସୁବାଷ ବରାଡ, ଉଦ୍ଧବ ମିଶ୍ର, ଲକ୍ଷ୍ମଣ ନାୟକ, ହୃଷିକେଶ ପ୍ରଧାନ, ରବିନ୍ଦ୍ର ଗୌଡ, ଶିଵ ପ୍ରସାଦ ମହାପାତ୍ର, ସନ୍ତୋଷ ତିଆଡିଙ୍କ ସମେତ ବିଜେପି ସର୍ମଥିତ ସରପଞ୍ଚ, ସମିତିସଭ୍ୟ ବହୁ କର୍ମୀ ସାମିଲ ହୋଇଥିଲେ ।