ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ସହର ମଧ୍ୟରେ ଥିବା ଶହେ ବର୍ଷରୁ ଉର୍ଦ୍ଧ ପୁରୁଣା ରଘୁନାଥ ମନ୍ଦିର ପରିସରରେ ପବିତ୍ର କାର୍ତ୍ତିକ ମାସ ଅବସରରେ ସତସଙ୍ଗ ଓ ରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେଉଛି । ରାମାୟଣ ଅଧ୍ୟାୟରେ ମର୍ଯ୍ୟଦା ପୁରୁଷ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଆଜି ବିବାହ ଅଧ୍ୟାୟ ପଡୁଥିବାରୁ ଅନୁଷ୍ଠାନ ପକ୍ଷରୁ ରାମ ଓ ସୀତା ମାତାଙ୍କ ବିବାହ ଉତ୍ସବ ବହୁ ଧୁମ୍ଧାମରେ ଅନୁଷ୍ଠିତ ହେଇଥିଲା । ଏଥିରେ ପ୍ରଭୂ ଶ୍ରୀରାମଙ୍କ ପିତା ସହର ନିବାସୀ ଶଙ୍କର ସୁବୁଦ୍ଧି ହୋଇଥିବା ବେଳେ ମାତା ସୀତାଙ୍କ ବାପା ପକ୍ଷରୁ ପୁରୁଣା ବଜାର ସାହିର ବାବୁଜୀ ସେନାପତି ଦାୟିତ୍ବ ସମ୍ପାଦନା କରିଥିଲେ । ବିବାହର ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସହରର ଶତାଧିକ ପୁରୁଷ ଓ ମହିଳା ସକାଳୁ ରଘୁନାଥ ମନ୍ଦିର ପରିସରରୁ ବରଯାତ୍ରୀରେ ବାହାରି ବିରାଟ ପଟୁଆର ସହ ସହର ପରିକ୍ରମା କରିଥିଲେ । ଏହାପରେ କନ୍ୟାପିତାଙ୍କ ଘର ସାମ୍ନାରେ ବାଟବରଣ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିରେ ପ୍ରବଚକଙ୍କ ସମେତ ବହୁ ସାଧୁସନ୍ଥ ଓ ବ୍ରାହ୍ମଣମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ଅବସରରେ ଆୟୋଜିତ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ।