ଯୁବ ସାମ୍ବାଦିକଙ୍କ ମୃତ୍ୟୁରେ ଉତ୍କଳ ସାମ୍ବାଦିକ ସଂଘର ଶ୍ରଦ୍ଧାଞ୍ଜଳି ଓ ସହାୟତା ଦାବୀ……

ଅନୁସନ୍ଧାନ ଭାରତ(ବ୍ୟୁର): ଖବର ସଂଗ୍ରହ କରିବାକୁ ସାଥୀ ସାମ୍ବାଦିକଙ୍କ ସହ ଯାଉଥିବା ବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ସମ୍ବେପଦର ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଜଣା ବୋଲେରୋ ଧକ୍କାରେ ଫୁଲବାଣୀ ଅଞ୍ଚଳର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ସାଥୀ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ବୁଧବାର ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ବାଉଁଶଲୁଣ୍ଡି ସ୍ଥିତ ରାଧାକୃଷ୍ଣ ପାଠାଗାର ଠାରେ ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ବିକାଶ ମିଶ୍ରଙ୍କ ଆତ୍ମାର ସଦଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ଅମରେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ନଚିକେତା ପ୍ରଧାନ, ସହ ସମ୍ପାଦକ ଚିନ୍ମୟ ବେବର୍ତ୍ତା, କୋଷାଧ୍ୟକ୍ଷ ଗିରିସ ସାହୁ, ବ୍ଳକ ସଂଯୋଜକ ପୁରୁଷୋତ୍ତମ ମହାପାତ୍ର, ରାଧାକୃଷ୍ଣ ପାଠାଗାର ସଭାପତି ନିରଞ୍ଜନ ପ୍ରଧାନ, ଶ୍ରମିକ କର୍ମଚାରୀ ସଂଘ ସମ୍ପାଦକ ହରେକୃଷ୍ଣ ସାହୁଙ୍କ ସମେତ ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ସ୍ବର୍ଗତ ବିକାଶ ମିଶ୍ରଙ୍କ ସ୍ମୃତି ଚାରଣ ସହ ତାଙ୍କର କର୍ତ୍ତବ୍ୟ ବୋଧ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ସ୍ବାଇଁ ସାମ୍ବାଦିକତା ପାଇଁ ସମର୍ପିତ ସ୍ବର୍ଗତ ଯୁବ ଉଦୀୟମାନ ସାମ୍ବାଦିକ ବିକାଶଙ୍କ ସ୍ଥାନ ଅପୂରଣୀୟ ବୋଲି କହିଥିଲେ । ଶେଷରେ ନିଲୁ ବିଷୋୟୀ ଧନ୍ୟବାଦ ଅର୍ପଣ ପରେ ଶୋକସଭା ଶେଷ ହୋଇଥିଲା । ଏଥି ସହିତ ସଂଘ ପକ୍ଷରୁ ବିକାଶ ମିଶ୍ରଙ୍କ ପରିବାରକୁ ସ୍ୱତନ୍ତ୍ର ଭାବେ ସରକାରୀ ସହାୟତା ଯୋଗାଇଦେବାକୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରଶାସନ ତରଫରୁ ଘଟଣାର ଟିକିନିଖି ତଦନ୍ତ ସହ ସମାଜ ପ୍ରତି ଶ୍ରମଦାନ କରୁଥିବା ସାମ୍ବାଦିକଙ୍କୁ ଅନୁଦାନ ପ୍ରଦାନ ପାଇଁ ସଂଘ ଦାବିପତ୍ର ରେ ଉଲ୍ଲେଖ କରିଛି । ସଭାପତି ପ୍ରଦୀପ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ କାଯ୍ୟାଳୟ ଏସଷ୍ଟାବ୍ଲିସମେଣ୍ଟ ଅଫିସର ଅନୀଲ କୁମାର ପଣ୍ଡା ଦାବିପତ୍ର ଗ୍ରହଣ କରିଥିଲେ ।