ଅନୁସନ୍ଧାନ ଭାରତ(ବ୍ୟୁର): ଜଣେ ଅସହାୟ ମହିଳାଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ କରାଇବା ଓ ତାଙ୍କ ପାଇଁ ଆବଶ୍ୟକ ଅତ୍ୟନ୍ତ ବିରଳ ବମ୍ବେ ଫେନୋଟାଇପ୍ ରକ୍ତ ଯୋଗାଇ ଦେଇ ଆଜି ସାରା ରାଜ୍ୟରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ଭବାନୀପାଟଣାସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର, ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା, ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର କର୍ମକର୍ତ୍ତାମାନେ । ଖବର ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭଟାଙ୍ଗପଦର ଗ୍ରାମପଞ୍ଚାୟତର ଦୁର୍ଗମ ଆମପଦର ଗାଁର ଜଣେ ଗର୍ଭବତୀ ମହିଳା ରାଇବତୀ ମାଝୀଙ୍କ ରକ୍ତହୀନତା ଯୋଗୁଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ରକ୍ତ ପରୀକ୍ଷା କରାଯିବାବେଳେ ତାଙ୍କ ଦେହରେ ଅତ୍ୟନ୍ତ ବିରଳ ଓ ପଜିଟିଭ ବମ୍ବେ ଫେନୋଟାଇପ୍ ରକ୍ତ ଥିବା ଜଣାପଡିବା ପରେ ରକ୍ତ ଯୋଗାଡ କରିବା କଷ୍ଟକର ବ୍ୟାପାର ହୋଇପଡିଥିଲା । ଏହି ସମୟରେ ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତା, ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ଓ ସମାଜସେବୀ ସୁଶୀଲ କୁମାର ବାଗଙ୍କ ଉଦ୍ୟମ କ୍ରମେ ସୁଦୂର ରାଉରକେଲାରୁ ଜଣେ ରକ୍ତଦାତା ଆସି ଗତ ୧୫ ତାରିଖରେ ତାଙ୍କୁ ଗୋଟିଏ ୟୁନିଟ୍ ରକ୍ତଦାନ କରିଥିଲେ । ଏହାପରେ ୧୬ ତାରିଖ ଦିନ ରାଇବତୀ ଏକ ଶିଶୁ ସନ୍ତାନକୁ ଜନ୍ମ ଦେବା ସହିତ ଘରକୁ ଯାଇଥିଲେ । ତେବେ ତାଙ୍କଠାରେ ରକ୍ତହୀନତା ଲାଗି ରହିଥିବାବେଳେ ତାଙ୍କର ଆହୁରି ରକ୍ତ ଆବଶ୍ୟକ ହେଉଥିବା ଜଣାପଡିଥିଲା । ଏହି ସମୟରେ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟରେ ସ୍ନାତ୍ତକ ବିଜ୍ଞାନ ଦ୍ୱିତୀୟ ବର୍ଷ ପାଠ ପଢୁଥିବା ବାଲେଶ୍ୱରର ଶରତ ସିଂହ ନାମକ ଜଣେ ଛାତ୍ର ଭବାନୀପାଟଣା ରକ୍ତଭଣ୍ଡାରରେ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରକ୍ତଦାନ କରିଥିଲେ । ସେହି ସମୟରେ ସେ ତାଙ୍କ ରକ୍ତଗ୍ରୁପ ବିଷୟରେ ଜାଣିନଥିଲେ । ତେବେ ରକ୍ତଭଣ୍ଡାର କର୍ମଚାରୀ ଗ୍ରୁପ ପରୀକ୍ଷା କରିବା ସମୟରେ ଏହା ବିରଳ ବମ୍ବେ ଫେନୋଟାଇପ୍ ଗ୍ରୁପର ରକ୍ତ ହୋଇଥିବା ଜଣାପଡିଥିଲା । ବିରଳ ରକ୍ତ ସଂରକ୍ଷଣ କରି ରଖିବା ସମୟ ଅତିକ୍ରାନ୍ତ ହେବା ଆଶଙ୍କା ଥିବାବେଳେ ଆମପଦର ଗାଁର ରାଇବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଖୋଜଖବର ନିଆଯିବାରୁ ଶିଶୁ ଜନ୍ମ ପରେ ତାଙ୍କ ସ୍ୱାସ୍ଥ୍ୟ ଠିକ୍ ନଥିବା ସୂଚନା ମିଳିଥିଲା । ଏହି ସମୟରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗ ଓ ସୋସିଆଲ୍ ଏକ୍ଟିଭିଷ୍ଟ ଅଫ୍ କଳାହାଣ୍ଡିର ସଦସ୍ୟ ମିଲନ କୁମାର ଭୋଇ ରକ୍ତଭଣ୍ଡାରରୁ ଏ ସୂଚନା ପାଇ ରାଇବତୀଙ୍କୁ ଉଦ୍ଧାର କରି ହସ୍ପିଟାଲ ଆଣିବା ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ । ଯୁବ ସମାଜସେବୀ ଶ୍ରୀ ବାଗଙ୍କ ଅନୁରୋଧ କ୍ରମେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦାପ୍ତାର ସଂପାଦକ ରାଜକିଶୋର ଶର୍ମା, କାର୍ଯ୍ୟକ୍ରମ ପରିଚାଳକ ଦୀପନ କୁମାର ଶର୍ମା ନିଜସ୍ୱ ଆମ୍ବୁଲାନ୍ସରେ ରାଇବତୀଙ୍କୁ ତାଙ୍କ ଗାଁରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦାପ୍ତାର ଦୀପନ କୁମାର ଶର୍ମା, ସ୍ୱାସ୍ଥ୍ୟ ପରିଦର୍ଶିକା ସ୍ୱସ୍ତିକା ପ୍ରଧାନ, କର୍ମଚାରୀ ଯୁଗେନ୍ ଦୁର୍ଗା ପ୍ରମୁଖ ରାଇବତୀଙ୍କୁ ଭର୍ତ୍ତି କରିବା ପରେ ଭବାନୀପାଟଣାସ୍ଥିତ ଓଡିଶା ରକ୍ତ ଭଣ୍ଡାରର କୃଷ୍ଣଚନ୍ଦ୍ର ସାହୁ, ସରୋଜ କୁମାର ମହନ୍ତ, ଗିରିଶ କୁମାର ନାଏକ, ଚତୁର୍ଭୂଜ ଦୁବେ, ଜଞ୍ଜିର ବାଗ ପ୍ରମୁଖ ସଂପୃକ୍ତ ମହିଳାଙ୍କ ରକ୍ତ ଗ୍ରୁପ ପୁନଃ ପରୀକ୍ଷା ସହିତ ସଠିକ୍ ସମୟରେ ଯୋଗାଇ ଦେଇଥିଲେ । ରକ୍ତ ସଂଚାରଣ ପରେ ଏବେ ରାଇବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବାବେଳେ ତାଙ୍କ ସ୍ୱାମୀ ରକ୍ତଦାତା, ରକ୍ତ ଭଣ୍ଡାର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀ ଶ୍ରୀ ବାଗଙ୍କୁ କୃତଜ୍ଞତା ଜଣାଇଛନ୍ତି ।