ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ବ୍ଳକ୍ କୁଲାଡ ଠାରେ ଶ୍ରୀ ଶ୍ରୀ ରାଧା ଗିରିଧାରୀ ଆଶ୍ରମ ପକ୍ଷରୁ ଗୋବର୍ଦ୍ଧନ ପୂଜା ଏବଂ ଅନ୍ନକୂଟ୍ଟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥି ନିମିତ୍ତ କୁଲାଡ ଗ୍ରାମରେ ଆଜି ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ସକାଳ ସମୟରେ ଆଶ୍ରମ ପକ୍ଷରୁ ୧୦୮ ଆଳତୀ, ମହାଭିଷେକ ବହୁ ଆଡମ୍ବର ସହକାରେ ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା । ଏହାପରେ ଶ୍ରଦ୍ଧାଳୁଙ୍କ ଗହଣରେ ନଗର ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ସାଧୁସନ୍ଥମାନଙ୍କ ଦ୍ବାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଶ୍ଚିମବଙ୍ଗ ମାୟାପୁରୀରୁ ଆସିଥିବା ସାଧୁ ଭକ୍ତି ବିଚାର ବିଷ୍ଣୁ ଗୋସ୍ବାମୀ ମହାରାଜ, କୁଲାଡ ଆଶ୍ରମର ଭକ୍ତି ଶରଣ ପରମାର୍ଥି ମହାରାଜ, ପୁରୀର ଭକ୍ତିଶୁଦ ଯାଯାବର ମହାରାଜ ଏବଂ ବ୍ରହ୍ମଚାରୀମାନେ ପ୍ରବଚନ ଦେଇଥିଲେ । ଏହି ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପର୍ବତ ଉଠାଇଥିବାର ଏକ ସୁନ୍ଦର ପ୍ରତିମା ସ୍ଥାପନ କରାଯିବା ସହ ୫୬ ଭୋଗରେ ୩୮୦ ପ୍ରକାରରୁ ଉର୍ଦ୍ଧ ମିଷ୍ଠାନ୍ନ, ଭୋଗ, ପ୍ରସାଦ ଆଦି ଅର୍ପଣ କରାଯାଇଥିଲା । ଏହାପରେ ମଧ୍ୟାହ୍ନରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । ଏଥିରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗଦେଇଥିବା ବେଳେ ଗୁରୁ ପତିତପାବନ ଦାଶ, ଜଗତଜୀବନ ଦାଶ, ଶ୍ରୀବାସ ଦାଶ, ଅରକ୍ଷିତ ପରିଚ୍ଛା, କ୍ରିଷ୍ଣା ଦାଶ, କେଶବ ଦାଶ, ଶ୍ୟାମାନନ୍ଦ ଦାଶ ଓ କୁଲାଡ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ ।