ତିନି ଛକିଆ ଅଞ୍ଚଳରେ ହାତୀପଲ ଙ୍କ ଉପଦ୍ରବ, ଚିନ୍ତାରେ ଚାଷୀ……

ଅନୁସନ୍ଧାନ ଭାରତ(ବ୍ୟୁର): ଥମୁନି ହାତୀପଲଙ୍କ ଉପଦ୍ରବ। ଗତ କିଛି ଦିନ ଧରି ଉତ୍ତର ଗଂଜାମ ଜିଲ୍ଲା ଘୁମୁସର ବନଖଣ୍ଡ ତାରସିଂ ବନାଞ୍ଚଳରେ ହାତୀପଲ ଓ ବାରହାଙ୍କ ଉପଦ୍ରବ ଜାରି ରହିଛି । ଉକ୍ତ ଅଞ୍ଚଳରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି । ଏଥିସହ ହାତୀମାନେ ମଧ୍ୟ ଜଙ୍ଗଲରୁ ଆସି ଫସଲ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ । ଗୁରୁବାର ବିଳମ୍ବିତ ରାତିରେ ତାରସିଂ ରେଞ୍ଜରେ ଚନ୍ଦ୍ରଗିରି ପାହାଡ଼ ରୁ ୧୦ ଟିକିଆ ହାତୀପଲ ତିନି ଛକିଆ ଅଞ୍ଚଳରେ ଉପଦ୍ରବ କରିଥିବା ଜଣାପଡ଼ିଛି । ଏକର ଏକର ଧାନ ଫସଲ ଓ ପନିପରିବା ଚାଷ ହାତୀପଲ ଦଳି ନଷ୍ଟ କରିଛନ୍ତି । ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଚାଷ କରିଥିବା ବେଳେ ଫସଲକୁ ହାତୀ ଓ ବାରହା କବଳରୁ ସୁରକ୍ଷା ଦେବା ସମ୍ଭବ ହେଉନାହିଁ । ହାତୀ ଘଉଡାଇବା ଦିଗରେ ବନ ବିଭାଗ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରୁନଥିବା ଅଞ୍ଚଳର ଚାଷୀ ଅଭିଯୋଗ ଆଣିଛନ୍ତି । ଏପରି ସ୍ଥଳେ ଶୁକ୍ରବାର ସକାଳ ସମୟରେ ପଲରୁ ଅଲଗା ହୋଇ ଏକ ଦନ୍ତା ଭଞ୍ଜନଗର ଦଶପଲ୍ଲା ରାସ୍ତା ଅତିକ୍ରମ କରି ଉକ୍ତ ଅଞ୍ଚଳରେ ଘୁରି ବୁଲୁଥିବା ଦେଖାଯାଇଛି । ସନ୍ଧ୍ୟା ନହେବା କ୍ଷଣି ହାତୀପଲ ଉପଦ୍ରବ ଜାରି ରଖୁଥିବା ଯୋଗୁଁ ଅଞ୍ଚଳବାସୀ ଭୟଭୀତ ଅଛନ୍ତି । ବନ୍ୟପ୍ରାଣୀ ଏବଂ ଲୋକଙ୍କ ଯେଭଳି କୌଣସି କ୍ଷତି ନ ହେବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଅପରପକ୍ଷରେ ବନ୍ୟପ୍ରାଣୀଙ୍କ ଦ୍ୱାରା ଫସଲ କ୍ଷତି ହେଉଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ବ୍ୟବସ୍ଥା କରାଯାଉଛି । କ୍ଷତିଗ୍ରସ୍ତ ଚାଷୀ ଆବେଦନ କଲେ ନିର୍ଦ୍ଧାରିତ ସମୟରେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।