ଏମକେସିଜି ମେଡିକାଲରେ ହେବ ଇନଡୋର ଷ୍ଟାଡିୟମ, ସୁଇମିଂ ପୁଲ ଓ ଟ୍ରାନ୍ସଫ୍ୟୁଜନ ମେଡିସିନ ନୂତନ କୋଠା ପାଇଁ ଜମି ଚିହ୍ନଟ……

ଅନୁସନ୍ଧାନ ଭାରତ(ବ୍ୟୁର): ଏମକେସିଜି ଭେଷଜ ମହାବିଦ୍ୟାଳୟର ଡାକ୍ତର, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ପାଇଁ ନିର୍ମାଣ ହେବ ଇନଡୋର ଷ୍ଟାଡିୟମ, ସୁଇମିଂପୁଲ ଓ ବ୍ୟାୟାମଶାଳା l ସେହିପରି ଟ୍ରାନ୍ସଫ୍ୟୁଜନ ମେଡିସିନି ବିଭାଗର ନୂତନ କୋଠା ମଧ୍ୟ ନିର୍ମାଣ କରାଯିବ l ଏହି ନୂତନ କୋଠା ନିର୍ମାଣ ପୂର୍ବରୁ ପ୍ରସ୍ତାବିତ ପ୍ରକଳ୍ପ ପାର୍ଇ ଜାଗା ଚିହ୍ନଟ ସହ ସ୍ଥିତ ଅନୁଧ୍ୟାନ କରିଛନ୍ତି ରାଜ୍ୟ ଚିଫ୍ ଅର୍କିଟେକ୍ ଇଂ ସୁଶାନ୍ତ କୁମାର ପାତ୍ର l ପ୍ରଫେସର, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ନର୍ସ, ନର୍ସିଂ ଛାତ୍ରଛାତ୍ରୀ, ତୃତୀୟ ଶ୍ରେଣୀ କର୍ମଚାରୀ, ୪ ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ମିଶାଇ ପାଖାପାଖି ୫୦୦୦ ସରକାରୀ କର୍ମଚାରୀ ଓ ଛାତ୍ରଛାତ୍ରୀ ରହିଛନ୍ତି l ଏହି ଡାକ୍ତର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସୁବିଧା ନିମନ୍ତେ ପୂର୍ବରୁ କ୍ବାର୍ଟର, ହଷ୍ଟେଲ, ବ୍ୟାଙ୍କ, ଏଟିଏମ, ଖେଳପଡ଼ିଆ, କ୍ୟାଣ୍ଟିନ, ଅଡିଟୋରିୟମ ଦୋକାନବଜାର ଆଦି ଏମକେସିଜି ପରିସରରେ ନିର୍ମାଣ ହୋଇଛି l ଆଗାମୀ ଦିନରେ ଆଉ କିଛ ସୁବିଧା ସୁଯୋଗ ଯୋଡି ହେବାକୁ ଯାଉଛି l ଏମକେସିଜିର ଡାକ୍ତର, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ନୂଆ ବସଷ୍ଟାଣ୍ଡ ପାଖ ତଥା ଖେଳପଡ଼ିଆ ନିକଟରେ ଥିବା ଖୋଲାସ୍ଥାନରେ ଏକ ଇନଡୋର ଷ୍ଟାଡିୟମ ସହ ସୁଇମିଂ ପୁଲ ଓ ବ୍ୟାୟାମଶାଳା ନିର୍ମାଣ କରାଯିବାକୁ ଯୋଜନା ହୋଇଛି l ଆଗାମୀ ଦିନରେ ଏସବୁ ନିର୍ମାଣ ହେବାକୁ ଥିବା ବେଳେ ଏହାର ରୂପରେଖ ପ୍ରସ୍ତୁତ କରିବାକୁ ଆଜି ଇଂ ପାତ୍ର ଏମକେସିଜିରେ ପହଞ୍ଚିଥିଲେ l ଇଂ ପାତ୍ରଙ୍କ ସମେତ ଏମକେସିଜି ଡିନ୍‌‌ ପ୍ରଫେସର ଡା.ଅବନୀକାନ୍ତ ମିଶ୍ର ଓ ଅଧୀକ୍ଷକ ପ୍ରଫେସର ଡା.ସନ୍ତୋଷ କୁମାର ମିଶ୍ର, ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ମିଞ୍ଜ, ଅତିରିକ୍ତ ଅଧୀକ୍ଷକ ଡା.କିରଣ କୁମାର ପଟ୍ଟନାୟକ, ଆନାଟୋମି ବିଭାଗ ମୁଖ୍ୟ ପ୍ରଫେସର ଡା.ଜେ.ସାଗର ପୃଷ୍ଟି, ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ରନାଥ ସିଂ ଓ କନିଷ୍ଠ ଯନ୍ତ୍ରୀ କୁଳମଣି ଇକା ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି କେଉଁ ପ୍ରକଳ୍ପ କେଉଁଠି ନିର୍ମାଣ କରାଯିବ ସେ ନେଇ ଆଲୋଚନା କରିଥିଲେ l ଅନ୍ୟପକ୍ଷରେ ଆଗାମୀ ଶିକ୍ଷାବର୍ଷ ଠାରୁ ଏମକେସିଜିର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗରେ ୩ଟି ପିଜି ସିଟରେ ନାମଲେଖା ପାଇଁ ଜାତୀୟ ଭେଷଜ ପରିଷଦ ଅନୁମତି ଦେଇଛନ୍ତି l ହେଲେ ଏହି ବିଭାଗର ନିଜସ୍ବ କୋଠା ନାହିଁ l ଏମକେସିଜି ରକ୍ତଭଣ୍ଡାରରେ ହିଁ ସିନିୟର ରେସିଡେଣ୍ଟ ଡାକ୍ତର ଓ ପ୍ରଫେସରମାନେ ନିଜ କାର୍ଯ୍ୟ କରୁଛନ୍ତି l ଏହି ବିଭାଗରେ ୩ ଟି ପିଜି ସିଟ ଖୋଲିବା ପୂର୍ବରୁ ବିଭାଗର ନିଜସ୍ବ କୋଠା ନିର୍ମାଣ ନିହାତି ଆବଶ୍ୟକ l ଏପରିକି ଅନୁମତି ମିଳିବା ପୂର୍ବରୁ ଏମକେସିଜି କର୍ତ୍ତୃପକ୍ଷ ଭାରତୀୟ ଭେଜେ ପରିଷଦ ନିକଟରେ ମଧ୍ୟ ଏନେଇ ଲିଖିତ ଭାବରେ ଜଣାଇଛନ୍ତି l ସେହି କ୍ରମରେ ରକ୍ତଭଣ୍ଡାର ପଛପାଖରେ ଥିବା ଜାଗାରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ନୂତନ କୋଠା ନିର୍ମାଣ କରାଯିବାକୁ ଯୋଜନା ହୋଇଛି l ଆଜି ଇଂ ପାତ୍ର ଏହି କୋଠାର ରୂପରେଖ କିଭଳି ପ୍ରସ୍ତୁତ ହେବ ସେ ନେଇ ଏମକେସିଜି କର୍ତ୍ତୃପକ୍ଷ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l