ଦଲାଲଙ୍କ କବଜାରେ ଆସିକା ଉପଖଣ୍ଡ ଚିକିତ୍ସାଲୟ, ଦଲାଲ ହଟାଇବା ପାଇଁ ଉଠିଲା ଦାବୀ….

ଅନୁସନ୍ଧାନ ଭାରତ(ବ୍ୟୁର): ଆସିକା ଉପଖଣ୍ଡ ଚିକିତ୍ସାଲୟ ଠାରେ ଦୀର୍ଘ ଦିନ ଧରି ଚାଲିଥିବା ଔଷଧ ଦଲାଲଙ୍କୁ ଧରିବା ପାଇଁ ଗଞ୍ଜାମ ଏସ.ପିଙ୍କ ନିର୍ଦେଶ କ୍ରମେ ଅପରେସନ ଦଲାଲ କାର୍ଯ୍ୟକାରୀ ହେବ କେବେ ? ପ୍ରକାଶ ଥାଉକି ବ୍ରହ୍ମପୁର ମେଡିକାଲ ଠାରେ ଦୀର୍ଘ ଦିନ ଧରି ଚାଲି ଥିବା ଔଷଧ ଦଲାଲଙ୍କୁ ଧରିବା ପାଇଁ ବ୍ରହ୍ମପୁର ଏସପି ସର୍ବଣା ବିବେକଙ୍କ ପକ୍ଷରୁ ଏକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଯାଇ ଦଲାଲମାନଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି l ଆସିକା ଉପଖଣ୍ଡ ଚିକିତ୍ସାଲୟକୁ ପ୍ରତିଦିନ ୧୦ଟି ବ୍ଲକର ପ୍ରାୟ ୫୦୦ଶହରୁ ଉର୍ଦ୍ଧ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି l ଏହି ରୋଗୀମାନଙ୍କୁ ଡାକ୍ତର ଚିକିତ୍ସା ପରେ ରୋଗୀଙ୍କ ପାଇଁ ଲେଖିଥିବା ଔଷଧ ଚିଠାଟିକୁ ଆଖି ପିଛୁଳାକେ ଦଲାଲମାନେ ନେଇ ଯାଇଥାନ୍ତି l ଦଲାଲମାନେ ନିଯୁକ୍ତି ପାଇଥିବା ବିଭିନ୍ନ ଔଷଧ ଦୋକାନରୁ ନିମ୍ନମାନର ଔଷଧ ରୋଗୀମାନଙ୍କୁ ଯୋଗାଇ ଦେଇ ଔଷଧ ଦୋକାନୀ ଠାରୁ ଅଧିକ କମିଶନ ପାଇଥାନ୍ତି l ଏଥିରୁ ଜରୁରୀ ରୋଗୀ, ଗରିବ, ଅସହାୟ, ମହିଳା ଓ ବୃଦ୍ଧ ବାଦ ପଡ଼ିନଥାନ୍ତି l ଏହି ଦଲାଲମାନଙ୍କର ଦଲାଲ ଗିରି ରୋକିବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବା ଜଣାଯାଇଛି l ଏହି ସମସ୍ୟା ପାଇଁ ବିଭିନ୍ନ ପତ୍ର ପତ୍ରିକାରେ ବାରମ୍ବାର ପ୍ରକାଶ ପାଇଲେ ମଧ୍ୟ ଏହା ଉପରେ କୌଣସି ପ୍ରଭାବ ପଡୁନାହିଁ l ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ସେ ନାମକୁ ମାତ୍ର ଆସିକା ଉପଖଣ୍ଡ ଚିକିତ୍ସାଲୟଅଧିକାରୀଙ୍କୁ କୈଫତ ଚିଠି ଟିଏ ମାଗିଦେଇ କାର୍ଯ୍ୟ ସାରିଦେଇଥାନ୍ତି l ପୂର୍ବ ଭଳି ଆସିକା ଉପଖଣ୍ଡ ଚିକିତ୍ସାଲୟକୁ ବର୍ଷକୁ ନିୟମିତ ଭାବେ ଜିଲ୍ଲପାଳ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଉପଜିଲ୍ଲାପାଳ ଭଞ୍ଜନଗର, ଆସିକା ତହସିଲଦାର ନିୟମିତ ଅନୁଧ୍ୟାନ କରିବା ପାଇଁ ଯିବାକୁ ନିୟମ ଥିଲେ ମଧ୍ୟ କିଛି ବର୍ଷ ହେଲା ଏହା ବନ୍ଦ ରହିଛି l ଅନ୍ୟପକ୍ଷରେ ରୋଗୀକଲ୍ୟାଣ ସମିତିରେ ବାରମ୍ବାର ଔଷଧ ଦଲାଲ, ଔଷଧ ଦୋକାନ, କ୍ଲିନିକ, ପାଥୋଲୋଜି ଉପରେ ଆଲୋଚନା କଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡୁନି l ଖୋଦ ଆସିକା ଉପଖଣ୍ଡ ଚିକିତ୍ସାଲୟ ଅଧିକାରୀ ତାଙ୍କ ସରକାରୀ ବାସଭବନରେ ରୋଗୀ ଚିକିତ୍ସା କରୁଥିବା ବେଳେ ସେହିସ୍ଥାନ ଔଷଧ ଦଲାଲଙ୍କ ଆଡ୍ଡାସ୍ଥଳି ପାଲଟିଛି ବୋଲି ସ୍ଥାନୀୟ ବାସୀନ୍ଧା ଅଭିଯୋଗ କରିଛନ୍ତି l ଏହି ଔଷଧ ଦଲାଲମାନଙ୍କୁ ଆସିକା ଉପଖଣ୍ଡ ଚିକିତ୍ସା ଅଧିକାରୀ ଓ କାର୍ଯ୍ୟରତ ସମସ୍ତ ଡାକ୍ତର ଅହେତୁକ ଅନୁକମ୍ପା ଦେଖାଇବା ପଛରେ କେଉଁ ସ୍ୱାର୍ଥ ରହିଛି ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି l ଔଷଧ ଦଲାଲ, କ୍ଲିନିକ ଓ ପାଥୋଲୋଜିମାନଙ୍କ କବଳରେ ଆସିକା ଉପଖଣ୍ଡ ଚିକିତ୍ସାଲୟ ରହିଛ l ଅନ୍ୟ ପଟରେ ପ୍ରତିଦିନ ଗର୍ଭବତୀ ମହିଳାଙ୍କୁ ଉପଖଣ୍ଡ ଚିକିତ୍ସାଲୟକୁ ଆଣୁଥିବା ଆଶା, ଅଙ୍ଗନବାଡି କର୍ମୀ, ଆମ୍ବୁଲାନ୍ସ ଓ ଜନନୀ ସୁରକ୍ଷା କର୍ମଚାରୀ ସାଙ୍ଗକୁ ଡାକ୍ତରଖାନାରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମଧ୍ୟ ଏହି ଔଷଧ ଦଲାଲଙ୍କ ହାତ ବାରିସୀ ସାଜିଛନ୍ତି l ଏଥିରେ ରୋଗୀ ଶୋଷଣର ଶିକାର ହେବା ସହ ରୋଗୀସେବା ବାଧାପ୍ରାପ୍ତ ହେଉଛି l ତୁରନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l