ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରୁଜାଙ୍ଗି ପିଟବାରି ନେଡିପଡା ଠାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି I ଆଜି ସକାଳ ସମୟରେ ନୂତନ ତିଆରି ପାଇଖାନା ଟାଙ୍କି ଭିତରୁ ସେଣ୍ଟ୍ରିଙ୍ଗ କାଠ ବାହାର କରିବାକୁ ଯାଇ ଶ୍ରମିକ ସହ ମାଲିକ ସ୍ୱାଶ ରୁଦ୍ଧ ହୋଇ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି I ସୂଚନାଯୋଗ୍ୟ ସଦର ଥାନା ଅନ୍ତର୍ଗତ ପିଟବାରି ନେଡିପଡା ଗ୍ରାମରେ ସଂଜୟ ପ୍ରଧାନ(୪୦) ନାମକ ଜଣେ ବ୍ୟକ୍ତି ନୂତନ ଘର ତିଆରି କରୁଥିବା ବେଳେ ଘର ନିମନ୍ତେ ପାଇଖାନା ଟାଙ୍କି ଖୋଳି ଟାଙ୍କିରେ ଛାତ ପକାଇ ସେହି ଟାଙ୍କି ଭିତରେ ସେଣ୍ଟ୍ରିଙ୍ଗ ବୋଲା କାଠ ରଖିଥିଲେ I
ଆଜି ସକାଳ ୯ ଘଣ୍ଟା ସମୟରେ ସେହି ପାଇଖାନା ଟାଙ୍କି ଭିତରେ ଥିବା କାଠ ଗୁଡିକ ବାହାର କରିବା ପାଇଁ ମାଲିକ ସଞ୍ଜୟ ପ୍ରଧାନ କଲାଡି ଗ୍ରାମର ସନ୍ତୋଷ କଁହର ନାମକ ଶ୍ରମିକଙ୍କୁ କହିଥିଲେ I ଶ୍ରମିକ ସନ୍ତୋଷ କଁହର ମାଲିକ କଥା ଅନୁଯାୟୀ ସେହି ପାଇଖାନା ଟାଙ୍କିର ସିମେଣ୍ଟ ଘଡ଼ଣି ବାହାର କରି ଭିତରେ ଥିବା କାଠ ଗୁଡିକ କାଡ଼ିବା ପାଇଁ ସିଡ଼ି ଦ୍ୱାରା ଭିତରକୁ ଯାଇଥିଲା I ସେଠାରେ ଅମ୍ଳଜାନ ଅଭାବରୁ ସ୍ୱାଶ ରୁଦ୍ଧ ହୋଇ ଚେତା ଶୂନ୍ୟ ହୋଇ ଭିତରେ ରହି ଯାଇଥିଲା I ଶ୍ରମିକ ସନ୍ତୋଷ ଟାଙ୍କି ଭିତରୁ ନ ବାହାରିବାରୁ ମାଲିକ ମଧ୍ୟ ଟାଙ୍କି ଭିତରକୁ ଯାଇ ଶ୍ୱାସ ରୁଦ୍ଧ ହୋଇ ଚେତା ଶୂନ୍ୟ ହୋଇଥିଲା I
ଖବର ପାଇ ଅଗ୍ନିଶମ ବାହିନୀ ଟାଙ୍କି ସେଠାରେ ପହଞ୍ଚି ମାଲିକ ଓ ଶ୍ରମିକ ଉଭୟଙ୍କୁ ଟାଙ୍କି ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ପହଞ୍ଚାଇ ଥିଲେ I ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲା I ସଦର ଥାନା ପୁଲିସ ସେଠାରେ ପହଞ୍ଚି ଶବ ଜବତ କରି ଥିଲା I ଘଟଣାର ତଦନ୍ତକାରୀ ଅଧିକାରୀ ସବ ଇନିସ୍ପେକ୍ଟର ମନ୍ଦାକିନି କଁହର ଏନେଇ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା କହିଛନ୍ତି I ମୃତ ଶ୍ରମିକ ସନ୍ତୋଷ କଁହର (୩୪)ଙ୍କ ଘର ଚକାପାଦ ଥାନା ଅନ୍ତର୍ଗତ ଟେଲିଙ୍ଗିଆ ଗ୍ରାମ ଏବଂ ସେ କଲାଡ଼ିରେ ବିବାହ କରିଥିବା ତଦନ୍ତ କାରୀ ଅଧିକାରୀ ସୂଚନା ଦେଇ ଛନ୍ତି I ମୃତ ଶ୍ରମିକ ସନ୍ତୋଷ କହଁରଙ୍କ ପରିବାରକୁ ଅନୁକମ୍ପା ମୂଳକ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ ହୋଇଛି I