ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଅଚାନକ ଘୁ.ଉଦୟଗିରି ଗସ୍ତ କରି ସିଧା କାଲିଗାଡୁ ହିଲଟପ ପର୍ଯ୍ୟଟନ ସ୍ଥଳୀ ପାଖରେ ପହଞ୍ଚି ସେଠାରୁ ଚାଲି ଚାଲି ହିଲଟପ ଉପରକୁ ଯାଇଥିଲେ । ହିଲଟପରେ ଦୀର୍ଘ ସମୟ ଧରି ପ୍ରକୃତିର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ଏହି ହିଲଟପର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୌଳିକ ଆବଶ୍ୟକତା ଉପରେ ଅନୁଧ୍ୟାନ କରିଥିଲେ । ଏହି ସମୟରେ ସ୍ଥାନୀୟ ବିଡ଼ିଓ ଆଶିଷ ତ୍ରିପାଠୀ, ବନବିଭାଗ ଅଧିକାରିଣୀ ମିନାକ୍ଷୀ କୁମୁରା, ବ୍ଲକ ଏଇ ମଳୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହା ପରେ ଜିଲ୍ଲାପାଳ ଗ୍ରେସିଙ୍ଗିଆ ସ୍ଥିତ ଆରଶ୍ମିନ ଜନତା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ୫ଟି ଯୋଜନାରେ ବିଦ୍ୟାଳୟର ରୂପାନ୍ତରିକରଣ କାର୍ଯ୍ୟ କିଭଳି ହେବ ଏବଂ ତାର ରୂପରେଖ କଣ ହେବ ତାହା ଅନୁଧ୍ୟାନ କରି ଫେରିଛନ୍ତି । ସୁଚନା ଥାଉ କି କାଲିଗାଡୁ ହିଲଟପର ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁଦାନ ପ୍ରଦାନ କରା ଯାଇ ଥିଲେ ସୁଦ୍ଧା ସ୍ଥାନୀୟ ବନବିଭାଗ ଦ୍ବାରା ରାସ୍ତାର ନିର୍ମାଣ କାମକୁ ବନ୍ଦ କରା ଯାଇଛି l ଯାହାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଧାଙ୍କ ମଧ୍ୟରେ ଅଶାନ୍ତି ଦେଖା ଦେଇଛି l ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଜିଲ୍ଲାପାଳ ଗସ୍ଥ କରିଛନ୍ତି l ତେଣୁ ବିକାଶ କାମରେ ଦେଖା ଦେଇ ଥିବା ସମସ୍ୟା ଯଥା ସମ୍ଭବ ସମାଧାନ ହେବା ନେଇ ସ୍ଥାନୀୟ ବାସିନ୍ଧା ଆଶା ରଖି ଥିବା କହିଛନ୍ତି l