ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ପ୍ରଥମ ଥର ପାଇଁ ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଠାରେ ଲିମାମେଡା ଗ୍ରାମରେ ସୌଭାଗ୍ୟ ଓ ଧନ ପ୍ରଦାୟିନୀ ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ସକାଳୁ ପୁରାଣ ବର୍ଣ୍ଣିତ ପବିତ୍ର ମହେନ୍ଦ୍ରତନୟା ନଦୀରୁ ଗଙ୍ଗା ଆବାହନ କରି କଳସ ଯାତ୍ରା କରାଯାଇଥିଲା । ପରେ ଗୁଣପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରୁ ଷୋଡଶ ଉପଚାର, ହୋମ ଯଜ୍ଞ ଅନୁଷ୍ଠିତ ହୋଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ଏଠାରେ ସାତ ଦିନ ଧରି ପୂଜା ଅନୁଷ୍ଠିତ ହେବାକୁ ଥିବା ବେଳେ ଶେଷ ତିନି ଦିନ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିସହ ବିଲୁପ୍ତ ପ୍ରାଣୀ ଆନାକଣ୍ଡା, ଡାଇନୋସରର କଳାକୃତି ମୁଖ୍ୟ ଆକର୍ଷଣ ପାଲଟିଛି । ରଙ୍ଗୀନ ଆଲୋକରେ ପୂଜା ମଣ୍ଡପକୁ ସାଜସଜ୍ଜା କରାଯାଇଛି । ପୂଜା ପାଳନ କମିଟିର ଉପଦେଷ୍ଟା ଗଣେଶ ରଥ, ସଭାପତି ମୃତ୍ୟୁଞ୍ଜୟ ପଣ୍ଡିତ, ଉପ ସଭାପତି ରମେଶ ରଥ, ସମ୍ପାଦକ ଅଜିତ ମହାନ୍ତି, ସୁଧୀର ଦଳପତି, ସନ୍ତୋଷ ଦାସ, ଶ୍ରୀଧର ପଣ୍ଡା, ଅଖିଳ ମହାନ୍ତି, ସନ୍ତୋଷ ପଣ୍ଡା, ଗୌର ସେନାପତି, ଗଜେନ୍ଦ୍ର ଦଳପତି, ଅକ୍ଷୟ ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା ହୋଇଥିଲା ।