ଭଞ୍ଜନଗରରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ……

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭିନ୍ନକ୍ଷମ ଚିହ୍ନଟ ଶିବିର ବୁଧବାର ଅନୁଷ୍ଠିତ ହୋଇଛି । ଏଥିରେ ୩୭ ଜଣ ପଞ୍ଜିକରଣ କରିଥିବା ବେଳେ ଅନ୍ଲାଇନ ମାଧ୍ୟମରେ ସେମାନଙ୍କ ପ୍ରମାଣପତ୍ର ଦେବା ବ୍ୟବସ୍ଥା ହୋଇଛି । ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡରେ ଡା.ଗୋବିନ୍ଦ ବିଶ୍ବାସ, ଡା.ଲକ୍ଷ୍ମଣ ହାଂସଦା, ଡ଼ା.ବି.ପ୍ରଣବାନନ୍ଦ ପାତ୍ର, ଡ଼ା.ଶର୍ମିଷ୍ଠା ପ୍ରିୟଦର୍ଶନୀ, ଡ଼ା.ସୁଶାନ୍ତ କୁମାର ବେହେରାଙ୍କ ସହ ମନୋଜ ପ୍ରଧାନ ଏବଂ ଲିଜାଲିନ୍ ମହାଲା ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରିଥିଲେ । ପରେ ଅନ୍ଲାଇନ୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି, ପୂର୍ବରୁ ଏଠାରେ ଭିନ୍ନକ୍ଷମମାନଙ୍କୁ ଚିହ୍ନଟ କରି ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ କୋଭିଡ ସମୟରୁ ଏହାକୁ ବନ୍ଦ କରାଯାଇଥିଲା । ଏହାପରେ ଭଞ୍ଜନଗର ଠାରେ ଭିନ୍ନକ୍ଷମମାନଙ୍କ ପାଇଁ ଏହି ଶିବିର କରିବା ନେଇ ବାରମ୍ବାର ଦାବି କରାଯାଇଥିଲା । ଭିନ୍ନକ୍ଷମ ସାର୍ମଥ୍ୟ ଶିବିରରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଡ଼ିଓ ଶଶିଭୂଷଣ ବେହେରା ଏନେଇ ପୁଣି ଆରମ୍ଭ କରିବା ନେଇ ପ୍ରୟାସ ଆରମ୍ଭ କରିଥିଲେ । ଏଥିସହ କିଛି ସଙ୍ଗଠନ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ସମୟରେ ଦୃଷ୍ଟି ଆର୍କଷଣ କରାଯାଇଥିଲା । ଏହାପରେ ଉକ୍ତ ଶିବିର ଆରମ୍ଭ ହେବା ନେଇ ଜିଲ୍ଲା ସ୍ବାସ୍ଥ ଅଧିକାରୀ ନିର୍ଦ୍ଦେଶନାମା ଜାରି କରିବା ପରେ ଆଜି ଠାରୁ ଏହା ଆରମ୍ଭ ହୋଇଛି ।