ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ………
ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏବାର୍ତ୍ତା ବହନ କରିଚାଲିବ । ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।
ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି ଶ୍ରୀ ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ସାମଲଙ୍କୁ ଏକ ଶାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା । ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଉତ୍କଳ ପ୍ରସଙ୍ଗ, odisha review ର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶାରେ ଗାନ୍ଧୀ ପୁସ୍ତକର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ l ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଓ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ l ବିଶିଷ୍ଟ ଗାୟିକା ନାଜ଼ୀଆ ଆଲାମ ରାମଧୁନ ଗାନ କରିଥିଲେ l