ମା ଦୁର୍ଗାଦେବୀଙ୍କ ଦର୍ଶନ କଲେ ଘୁ.ଉଦୟଗିରି ଅଞ୍ଚଳ ବାସୀ……..

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ଅଞ୍ଚଳର ବହୁ ପୁରାତନ ଦୁର୍ଗାପୂଜା ଶୁକ୍ରବାର ଠାରୁ ଵିଧି ବିଧାନ ଅନୁସାରେ ଆରମ୍ଭ ହୋଇଯାଇଛି l ଶୁକ୍ରବାର ସଂନ୍ଧ୍ୟାରେ ବିଲ୍ଵ ବରଣ ଓ ଜଳାଧିବେଶ କରାଯାଇଥିବା ବେଳେ ଶନିବାର ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା ବରାଳଦେବୀଙ୍କୁ ଆବାହନ କରି ପୂଜାମଣ୍ଡପରେ ମାଙ୍କ ଘଟ ସ୍ଥାପନ କରାଯାଇ ମହାସପ୍ତମୀ ପୂଜା ଆରମ୍ଭ ହୋଇଛି l ମା ବରାଳଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁଁ ଏଠାରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚନା ହୁଏ l ରବିବାର ମହାଷ୍ଟମୀ ପୂଜା ଓ ରାତ୍ର ୧୨ ଘଣ୍ଟିକା ସମୟେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରଖାଯାଇଛି l ସୋମବାର ମହାନବମୀ ପୂଜା ଓ ମଙ୍ଗଳବାର ଦଶମୀ ପୂଜା ସହ ସନ୍ଧ୍ୟାରେ ଅପରାଜିତା ଘଟ ବିସର୍ଜନ ହେବ ସନ୍ଧ୍ୟା ୭ ଘଣ୍ଟିକା ସମୟେ l ଏହି ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ଘଟ ପୂଜା ପାଉଥିବା ଯୋଗୁଁ ଦଶହରା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ l ଚଳିତ ବର୍ଷ ବୁଧବାର ନାଟକ ମହାଭାରତ, ଗୁରୁବାର ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଏବଂ ଶୁକ୍ରବାର ମୂର୍ତ୍ତି ବିସର୍ଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ପୂଜା କମିଟି ସମ୍ପାଦକ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି l ଦଶହରା ପୂଜା କମିଟି ସଭାପତି କାଳୁଚରଣ ପଣ୍ଡା, ବ୍ୟବସାୟୀ ସଂଘ ସଭାପତି ମନୋଜ କୁମାର ମହାପାତ୍ର, ସମ୍ପାଦକ ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ରହି ଆଜିର ସପ୍ତମୀ ପୂଜାରେ ମା ଦୁର୍ଗାଦେବୀଙ୍କ ଅପାର କୃପା ଲାଭ କରିଥିଲେ l ପୁରୋହିତ ଉମାବଲ୍ହବ ଦାସ, ସୁରେଶ କୁମାର ମହାପାତ୍ର, ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ସୁଧାଂଶୁ ଆଚାର୍ଯ୍ୟ, ସଞ୍ଜୟ ଆଚାର୍ଯ୍ୟଙ୍କ ଦ୍ୱାରା ସମସ୍ତ ନୀତିକାନ୍ତି ଚାଲୁ ରହିଛି ଏବଂ କର୍ତ୍ତା ଭାବେ ପ୍ରତାପ ଚନ୍ଦ୍ର ପଣ୍ଡା ଦାୟିତ୍ୱ ତୁଲାଉଛନ୍ତି l