ସହରାଞ୍ଚଳ କିନ୍ତୁ ଗ୍ରାମାଞ୍ଚଳ ଠାରୁ ଅଧିକା ଦୁର୍ଦଶା ଭୋଗୁଛନ୍ତି ବାଲିଗୁଡ଼ା ଏନ୍ଏସିର ୩ନମ୍ବର ୱାର୍ଡବାସୀ: ପ୍ରଖୋର ଶ୍ରୋତ ପାର ହେବା ପାଇଁ ଏକମାତ୍ର ସାହାଭରଷା ହୋଇଛି ଦେଶୀ ଡଙ୍ଗା…
ଅନୁସନ୍ଧାନ ଭାରତ(ବ୍ୟୁର): ସହରାଞ୍ଚଳ କିନ୍ତୁ ଗାଁ ଠାରୁ ଅଧିକା ଦୁର୍ଦଶା ଭୋଗୁଛନ୍ତି ୩ଟି ୱାର୍ଡର ବାସୀନ୍ଧା l କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳରେ ଏହି ଦୃଶ୍ୟ ଦେଖା ଦେଇଛି l ବାଲିଗୁଡା ଏନଏସି ଗଠନ ବେଳେ ଚିରଶ୍ରୋତା ଖଡ଼ଗନଦ ର ଆରପାଖରେ ରହିଛି ଅନେକ ଗାଁ l ସେ ମଧ୍ୟରୁ ଲଣ୍ଡରୁକେତା ଏନଏସିର ୩ ନମ୍ବର ୱାର୍ଡରେ ଅନ୍ତର୍ଭୁକ୍ତ l ଆଜି ପର୍ଯ୍ୟନ୍ତ ଖଡ଼ଗ ନଦୀ ଉପରେ ଝୁଲା ପୋଲଟିଏ ନିର୍ମାଣ କରିବା ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ଏଯାବତ୍ ଫଳ ଶୂନେ l ଫଳରେ ଦୈନନ୍ଦିନ ଜୀବନର ନଦୀ ସେପଟ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଅଞ୍ଚଳବାସୀ ଭରା ନଇରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାର ସାହାଯ୍ୟରେ ଯାତାୟାତ କରୁଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସିର ତିନି ନମ୍ବର ଓ୍ବାର୍ଡରେ ଖଡ୍ଗ ନଦୀ ଆରପାରିରେ ରହିଛି ଲଣ୍ଡ୍ରୁକେତା ଗାଁ l ଏଥିସହିତ କ.ନୂଆଗାଁ ବ୍ଲକ୍ ୪-୫ଟି ଗାଁରେ ପାଖା ପାଖି ୪୦୦୦ ରୁ ଉର୍ଦ୍ଧ୍ବ ଲୋକମାନେ ବସବାସ କରନ୍ତି l ଏହି ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ ସମେତ ଦୈନନ୍ଦିନ କାର୍ଯ୍ୟରେ ବାଲିଗୁଡ଼ା ସହର ଉପରେ ନିର୍ଭରଶୀଳ l


ହେଲେ ଗମନାଗମନର ସୁବିଧା ଅଭାବରୁ ସେହି ଖଡ୍ଗ ନଦୀ ପାର ହୋଇ ଛାତ୍ରଛାତ୍ରୀ ପାଠ ପଢ଼ିବା ପାଇଁ ବାଲିଗୁଡ଼ା ଅସିଥାନ୍ତି l ଅନ୍ୟ ପକ୍ଷରେ ରାସ୍ତା ନଥିବାରୁ ୧୦୮ ଆମ୍ବୁଲାନ୍ସ ଯିବା ସମ୍ଭବ ପର ନୁହେଁ l ତେଣୁ ଏହି ଅଞ୍ଚଳରୁ ଆସୁଥିବା ରୋଗୀ କି ପ୍ରସୂତୀ ମହିଳାଙ୍କୁ ରଶିରେ ଭାର କରି ନଦୀପାର କରି ଡାକ୍ତରଖାନାକୁ ଆଣନ୍ତି ଅଞ୍ଚଳବାସୀ l ସିଧାସଳଖ କହିବାକୁ ଗଲେ ଅନ୍ୟପକ୍ଷରେ ଦୈନନ୍ଦିନ କାର୍ଯ୍ୟରେ ଏହି ଖଡ୍ଗନଦୀ ଏକ ମାତ୍ର ରାସ୍ତା ହେଇଛି ଅଞ୍ଚଳବାସୀଙ୍କ ପାଇଁ l ବର୍ଷା ଦିନରେ ନଦୀ ବଢ଼ିଲେ କଥା ସରିଲା l ଯାହା ପାଇଁ ସ୍କୁଲ ପିଲାଙ୍କ ପାଠ ପଢ଼ା ମଧ୍ୟ ବନ୍ଦ ହୋଇ ଥିବା ସୂଚନା ମିଳିଛି l ନଦୀ ବଢି ସମୟରେ ଚିକିତ୍ସା ଅଭାବରୁ ଅନେକ ରୋଗୀ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି l କିଛି ଲୋକ ଦୁଃସାହସିକ ପଦକ୍ଷେପ ନେଇ ଭରା ନଇରେ ପଶି ନଦୀ ପାର ହେବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ପ୍ରାଣ ମଧ୍ୟ ହରାଇଛନ୍ତି l ତେଣୁ ସେହି ସ୍ଥାନରେ ଏକ ମାତ୍ର ଲାଇଫ ଲାଇନ ହୋଇଛି ଦେଶୀ ଡଙ୍ଗା l ଭରା ନଈରେ ଯିବା ଆସିବା ସମୟରେ ଡ଼ଙ୍ଗା ଓଲଟି ଅନେକଙ୍କ ଜୀବନ ଯାଇଥିବା ନଜିର ରହିଛି l ନଦୀ ଆରପାରିରେ ରହିଥିବା ୪/୫ଟି ଗାଁର ଲୋକମାନେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି l ଫଳରେ ଆଜିବି ଲୋକେ ଦେଶୀ ଡଙ୍ଗାକୁ ଭରଷା କରି ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଥିବା କହିଛନ୍ତି ଅଞ୍ଚଳବାସୀ l ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉ ଅବା ପ୍ରଶାସନିକ ଅବହେଳା କାରଣରୁ ହେଉ ଏଠାରେ ବିକାଶ ଠପ ହୋଇଛି l ଏହି ନଦୀ ଉପରେ ଝୁଲା ପୋଲଟିଏ ହୋଇପାରିନାହିଁ l ଏନଏସି ନିର୍ବାଚନ ଆସିଲେ ନେତା ଓ କୁଜିନେତାଙ୍କ ଏହି ଗାଁ ଗୁଡ଼ିକୁ ସୁଅ ଛୁଟେ l ହାତୀ ଦେବୀ ଛତା ଦେବୀ ବୋଲି ପାହାଡ଼ ଭଳି ଗଦା ଗଦା ପ୍ରତିଶୃତି ମିଳିଛି କିନ୍ତୁ ନିର୍ବାଚନ ପରେ ସେ କୁଜିନେତା ହେଉ କି ଲୋକପ୍ରତିନିଧିଙ୍କ ପାଦ ଗାଁରେ ପଡ଼େନା l କୁଜିନେତା କୁମ୍ଭୀର କାନ୍ଦଣା କରି ଭୋଟ ହାତେଇବା ପରେ ଆଉ ଦେଖା ମିଳେ ନାହିଁ l ପ୍ରଶାସନର ଅବହେଳା ଯୋଗୁଁ ଅଞ୍ଚଳବାସୀ ବହୁ ଧନଜୀବନ ହରାଇଥିବା ସହ ଦୈନନ୍ଦିନ ଜୀବନରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ସହରାଞ୍ଚଳର ମାନ୍ୟତା ପାଇଥିଲେ ମଧ୍ୟ ଜଳ ପରିମଳ ଆଲୋକ ବ୍ୟବସ୍ଥା ରେ ବଞ୍ଚିତ ହେଉଛନ୍ତି ସ୍ଥାନୀୟ ବାସିନ୍ଧା l ନିଜକୁ ସହରାଞ୍ଚଳର ତିନି ନମ୍ବର ୱାର୍ଡର ବାସିନ୍ଦା ବୋଲି ପରିଚୟ ଦେବାକୁ ଲଜ୍ୟା ଲାଗୁଛି ବୋଲି ୱାର୍ଡବାସୀ କହିଛନ୍ତି l ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କଲେ ବାଲିଗୁଡ଼ା ଏନ୍ଏସି ଅନ୍ତର୍ଭୁକ୍ତ ବିଛିନ୍ନ ଗାଁ ସମେତ ଆଖପାଖ ଗ୍ରାମବାସୀ ଉପକୃତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି l