ଘୁ.ଉଦୟଗିରିରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ, ବାଲ୍ୟ ବିବାହ ମୁକ୍ତ ହେଲେ ସୁସମାଜ ଗଠନ ହେବ- ଶ୍ରୀମତୀ ସୁଷମା ପ୍ରଧାନ( ଅଧ୍ୟକ୍ଷା)
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଳକ ସ୍ଥିତ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯାକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଯୋଗ ଦେଇ ଥିଲେ l ଏଥି ସହିତ ଅନ୍ତରଙ୍ଗ ଯୁବ ମହା ସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଓ ଘୁ. ଉଦୟଗିରି ବ୍ଲକର ସମସ୍ତ ସରପଞ୍ଚ, ଅଙ୍ଗନୱାଡ଼ି କର୍ମୀମାନେ ଯୋଗ ଦେଇଥିଲେ l ବୈଠକରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡିକ ସୁଦୃଢ଼ୀକରଣ କରିବା ଏବଂ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ବାଲ୍ୟ ବିବାହ ପ୍ରତିରୋଧ କମିଟି ଗଠନ କରିବା ସହିତ ଗାଁ ସ୍ତରରେ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଛି l
ବାଲ୍ୟ ବିବାହ ଭଳି କୁସଂସ୍କାର ଗାଁରୁ ହଟାଇଲେ ଏକ ସୁସମାଜ ଗଠନ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ କହିଥିଲେ l ପଞ୍ଚାୟତ ସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ କେଉଁ ଭଳି ପଦକ୍ଷେପ ନେବେ ତାହା ସରପଞ୍ଚମାନେ ନିଜର ମତାମତ ରଖିଥିଲେ l ସଚେତନ କରିବା ପାଇଁ ପ୍ରଶାସନ, ସ୍ଵୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଯୁବ ଗୋଷ୍ଠୀ, ୱାର୍ଡ ସଭ୍ୟ, ଶିକ୍ଷକ ଓ ଶିକ୍ଷୟତ୍ରୀ, ଗଣମାଧ୍ୟମ ଏବଂ ବିଭିନ୍ନ ବୁଦ୍ଧିଜୀବୀଙ୍କ ସହଯୋଗ ହେଲେ ଘୁ.ଉଦୟଗିରି ବ୍ଲକରୁ ସମ୍ପୂର୍ଣ ବାଲ୍ୟ ବିବାହ ମୂଳତ୍ପାଟନ କରାଯାଇପାରିବ ବୋଲି ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମତାମତ ରଖିଥିଲେ l ପ୍ରତି ମାସରେ ପଞ୍ଚାୟତ ସ୍ତରୀୟ ବୈଠକରେ ବାଲ୍ୟ ବିବାହ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଆଲୋଚନା କରି ଗାଁ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ସରପଞ୍ଚମାନଙ୍କୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଅନୁରୋଧ କରାଯାଇଛି l କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକ ପରିଚାଳନା କରିଥିବା ବେଳେ ସୂପର୍ଭାଇଜର ଧନ୍ୟବାଦ ଦେଇଥିଲେ l