ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଜନିତ ଲଗାଣ ବର୍ଷା ସାରା ଓଡିଶାକୁ ବେହାଲ କରି ଦେଇଛି l ବହୁତ ଲୋକଙ୍କ ଘର ଭାଙ୍ଗିଥିବାରୁ ନିରାଶ୍ରୟ ଭାବେ ଜୀବନ କାଟୁଛନ୍ତି ତ ଆଉ କିଛି ଲୋକ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି l ଏମିତି ଏକ ଜଳବନ୍ଦୀ ଭିତରେ ଫସିରହିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଂଚାୟତର ଟେଲାପାଲି, ସିଙ୍ଖୁଳିପଦରର ଗ୍ରାମର ଲୋକେ l ଏହି ଅଂଚଳର ଜନସାଧାରଣ ପୋଲ ଭାଙ୍ଗିଥିବାରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଅଲଗା ହୋଇ ଅତି ଦୟନୀୟ ଭାବେ ଦିନ କାଟୁଥିବାର ସୂଚନା ମିଳିଛି l ପୋଲର ପୁନଃରୁଦ୍ଧାର ପାଇଁ ପ୍ରଶାସନକୁ ବାରମ୍ବାର ଜଣେଇଥିଲେ ମଧ୍ୟ ପ୍ରଶାସନ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ କହିବାନୁଯାୟୀ ବାରମ୍ବାର ପୋଲ ପାଇଁ ପ୍ରଶାସନକୁ ଦାବୀ କରିଥିଲେ l
ଏହା ସହ ଗଣମାଧ୍ୟମ ମଧ୍ୟ ବାରମ୍ବାର ଏହି ଖବରକୁ ପ୍ରସାରଣ କରିଥିଲା l ତଥାପି କୌଣସି ଫଳପ୍ରଦ ହେଲାନାହିଁ l ପ୍ରତିବର୍ଷ ବର୍ଷା ଦିନରେ ଏହି ଅଂଚଳରେ ବସବାସ କରୁଥିବା ଲୋକେ ନାନା ବହୁ ସମସ୍ୟାର ସମୁଖିନ୍ ହୋଇଥାନ୍ତି l ଟେଲାପାଳି ଓ ସିଙ୍କୁଳିପଦରରେ ବାସ କରନ୍ତି ପ୍ରାୟ ୨୦୦ରୁ ଉର୍ଦ୍ଧ ପରିବାର l ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ କାହା ଘରେ ଚାଉଳ ସରିଗଲାଣି ତ ଆଉ କାହା ଘରେ ଲୁଣ ସରିଗଲାଣି, କାହା ଘରେ କିରୋସିନ ନାହିଁ ତ କାହା ଘରେ ଜାଲ ନାହିଁ l ଗାଁରେ କୌଣସି ଦୋକାନ କି ବଜାର ନଥିବାରୁ ଲୋକେ ଅନେକ ଦୁଃଖରେ କାଳାତିପାତ କରୁଛନ୍ତି l ପ୍ରଶସନର ଅନଦେଖା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଣୁ ଯଥାଶୀଘ୍ର ପ୍ରଶାସନ ଟେଲାପାଳି ଓ ସିଙ୍କୁଳିପଦରରେ ପହଂଚି ସହାୟତାର ହାତ ବଢେଇବାକୁ ସାଧାରଣରେ ଦାବି ହେଉଛି l