ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡ଼ି ବ୍ଲକର ଅବସ୍ଥା ଲଗାଣ ବର୍ଷା ପାଇଁ ବେହାଲ ହୋଇ ଯାଇଛି l ଗତ ୨ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ଲଗାଣ ବର୍ଷା ଫଳରେ ଦାରିଙ୍ଗବାଡ଼ି ବ୍ଲକ କିରୀକୁଟି ଗ୍ରାମର ବୁଧବାରି କହଁରଙ୍କ ବିଜୁ ପକ୍କା ଘରର ଗୋଟିଏ କାନ୍ଥଟି ବିଳମ୍ବିତ ରାତିରେ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି l ଘରର କାନ୍ଥଟି ଭୁଶୁଡ଼ି ଭାଙ୍ଗି ପଡିବା ଶବ୍ଦ ଶୁଣି ଘରେ ଶୋଇଥିବା ୫ଜଣ ସଦସ୍ୟ ଘରୁ ଉଠି ବାହାରକୁ ଦୌଡ଼ି ବାହାରି ପାରିଥିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ସମସ୍ତ ସଦସ୍ୟ l
ଘର ଭାଙ୍ଗି ଯିବା ଫଳରେ ବର୍ତ୍ତମାନ ପରିବାର ବର୍ଗ ଭୋକ ଉପାସରେ ରହୁଥିବା ଦେଖିବାକୁ ମିଳିଛି l ଅନ୍ୟ ପକ୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନିକ ଅଧିକାରୀ ଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ସୁଦ୍ଧା କେହି ତାଙ୍କ ନିକଟରେ ପହଞ୍ଚି ନଥିବା କହିଛନ୍ତି କ୍ଷତିଗ୍ରସ୍ତ ପରିବାର ଲୋକେ l ସେହିପରି ସିମନବାଡ଼ି ଗ୍ରାମର ରାଜାରାମ ପାତ୍ରଙ୍କ ଘରେ ପାଣି ପଶି ଯାଇ ଅନେକ ଜିନିଷପତ୍ର ନଷ୍ଟ ହୋଇଥିବା ବେଳେ ଯହନପଲ୍ଲୀ, କିରୀକୁଟି ଅଞ୍ଚଳରେ ମଧ୍ୟ ଅନେକ ଲୋକଙ୍କ ଘର ଲଗାଣ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି l କେବଳ ସେତିକି ନୁହେଁ ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଓ ମୋବାଇଲ ସେବାରେ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି l