ଅନୁସନ୍ଧାନ ଭାରତ(ବ୍ୟୁର): ବଣ ପାହାଡ ଘେରା କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ବ୍ୟବସାୟୀ ସଂଘ ଏକ ପୁରାତନ ସଂଘ ହୋଇଥିବା ବେଳେ ସଂଘ ତରଫରୁ ପ୍ରାୟ ୧୫୦ ଜଣ ବ୍ୟବସାୟୀଙ୍କୁ ନେଇ ବ୍ୟବସାୟୀ ସଂଘ କାର୍ଯ୍ୟାଳୟରେ ସୋମବାର ସଂଘର ରୌପ୍ୟ ଜୟନ୍ତି ପାଳନ କରିବା ସହ ଏକ ବନ୍ଧୁମିଳନର କାର୍ଯ୍ୟକ୍ରମ ଅୟୋଜନ କରାଯାଇ ଥିଲା l ବ୍ୟବସାୟୀ ସଂଘ ଗଠନ ହେବା ଠାରୁ ସଂଘ ତରଫରୁ ପ୍ରତ୍ୟେକ ବର୍ଷ ସ୍ବାଧିନତା ଦିବସ, ସାଧାରଣତନ୍ତ୍ର ଦିବସ ପାଳନ କରି ଆସୁଥିବା ବେଳେ ଏବର୍ଷ ମଧ୍ୟ ସଂଘ ତରଫରୁ ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧିନତା ଦିବସ ପାଳନ କରିବା ଅବସରରେ ସଂଘ ସଭାପତି ମନୋଜ ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ l ସୋମବାର ସନ୍ଧ୍ୟାରେ ଭାରତମାତା ଓ ଜାତିର ପିତା ମହାତ୍ମା୍ ଗାନ୍ଧୀଙ୍କ ଫଟୋଚିତ୍ରରେ ଧୂପ ଅର୍ପଣ କରି ଜାତୀୟ ସଙ୍ଗୀତ ଗାନ ସହ ତିନି ଥର ଓଁ କାର ଧ୍ବନି ବୋଲାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା l ବରୀଷ୍ଟ ବ୍ୟବସାୟୀମାନଙ୍କ ବଳିଷ୍ଠ ଉଦ୍ୟମ ଫଳରେ ବହୁ ଘାତ ପ୍ରତିଘାତ ସହ୍ୟ କରି ସଂଘକୁ ଆଜି ଏହି ଅବସ୍ଥାକୁ ଆଣି ପାରିଛନ୍ତି ଏବଂ ସମସ୍ଥଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖି ପାରିଛନ୍ତି ସେମାନଙ୍କୁ ଭୂୟସୀ ପ୍ରଶଂସା କରାଯାଇଥିଲା l ଏହି ଅବସରରେ ସଂଘର ପୂର୍ବତନ ସଭାପତି ବିନୋଦ ବିହାରୀ ଦାସ, ରାଜେନ୍ଦ୍ର ମହାପାତ୍ର, ସମୀର କୁମାର ପାଢୀଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା l ସଂଘର ବରୀଷ୍ଟ ସଦସ୍ୟମାନେ ସଂଘ ଗଠନ କରିବାର ଉଦେଶ୍ୟ କଣ, ସଂଘ ଗଠନ ହେବା ଦ୍ବାରା ବ୍ୟବସାୟୀମାନେ କିପରି ଉପକୃତ ହୋଇପାରିଛନ୍ତି ଆଦି ବାବଦରେ ବର୍ଣ୍ଣନା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମକୁ ସଂଘ ସଭାପତି ମନୋଜ ମହାପାତ୍ର ପରିଚାଳନା କରିଥିବା ବେଳେ ଉପ ସଭାପତି କାଳୁଚରଣ ପଣ୍ଡା, ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସଞ୍ଜୀବ ସୁବୁଦ୍ଧି ପ୍ରମୁଖଙ୍କ ସହ ସମସ୍ତ ବ୍ୟବସାୟୀ, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l ଶେଷରେ ସଂଘର ସହ ସମ୍ପାଦକ ଅରୁଣ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l