ରାୟଗଡ଼ା ବାସୀଙ୍କ ପାଇଁ ବିକାଶ ଅପହଞ୍ଚ କି?? ଖଟିଆରେ ବୋହାହେଲେ ଗର୍ଭବତୀ, ଅପହଂଚ ଅଂଚଳରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ…
ଅନୁସନ୍ଧାନ ଭାରତ(ବ୍ୟୁର): ଆଜିବି ରାୟଗଡ଼ା ଜିଲ୍ଲା ବାସୀଙ୍କ ପାଇଁ ବିକାଶ ଅପହଞ୍ଚ I ଯାହାର ଜ୍ୱଳନ୍ତ ଉଦାହରଣ ରାୟଗଡ଼ା ଜିଲ୍ଲାର କାଶୀପୁର ଓ କୋଲନରା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି I କେନ୍ଦ୍ରସରକାର ଓ ରାଜ୍ୟସରକାର ପ୍ରତ୍ୟକ ଦିନ ଅପହଞ୍ଚ ଇଲାକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ବିକାଶ ନିମନ୍ତେ ମାଳମାଳ ଯୋଜନା ଘୋଷଣା କରିଛନ୍ତି I ହେଲେ ଏହି ସରକାରୀ ଯୋଜନା ରାୟଗଡ଼ା ବାସୀଙ୍କ ପାଇଁ ଅପହଞ୍ଚ ବୋଲି ରାୟଗଡ଼ା ଜିଲ୍ଲା ବାସୀ ଅଭିଯୋଗ କରିଛନ୍ତି I ତେଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I ସରକାରୀ ଯୋଜନା ଅପହଞ୍ଚ ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ଊର୍ଦ୍ଧ୍ୱକୁ ଯାଇ ରୋଗୀଙ୍କୁ ସାହାଯ୍ୟ କରିଥିବାର ଅନେକ ନଜିର ଆମ ଆଖି ସାମ୍ନାକୁ ଆସିଛି I ଯାହାର ଦୁଇଟି ଜ୍ୱଳନ୍ତ ଉଦାହରଣ ବର୍ତମାନ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ I

ସୂଚନା ଅନୁସାରେ ଯେଉଁଠାରେ ଗୋଟିଏ ଘଟଣାରେ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଜନୈକା ଗର୍ଭବତୀଙ୍କୁ ପ୍ରାୟ ୩ କି.ମି ଷ୍ଟ୍ରେଚରରେ ବୋହିଆଣି ଥିବା ବେଳେ ଅନ୍ୟ ଏକ ଘଟଣାରେ ଅନ୍ୟ ଜଣେ ଆମ୍ବୁଲାନ୍ସ କର୍ମଚାରୀ ଜଣେ ଗର୍ଭବତୀଙ୍କୁ ପ୍ରାୟ ୨ କି.ମି ଖଟିଆରେ ବୋହି ଆଣିଛନ୍ତି I ପ୍ରଥମ ଘଟଣାଟି ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦୁରୂପାଇ ଗ୍ରାମରେ I ଯେଉଁଠାରେ ରାମଚନ୍ଦ୍ର ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ସୁଧା ଦେଇ ମାଝୀ (୨୩ବର୍ଷ)ଙ୍କୁ ପ୍ରସବ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକେ ନୀକଟସ୍ଥ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ I ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ ଖରାପ ରାସ୍ତା କାରଣରୁ ଗାଁଠାରୁ ପ୍ରାୟ ୩ କି.ମି ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା I ଯାହାପରେ ଆମ୍ବୁଲାନ୍ସ କର୍ମଚାରୀ ପରୀକ୍ଷିତ ନାଏକ ନିଜେ ଗାଁ ମଧ୍ୟକୁ ଯାଇ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନୀକଟକୁ ବୋହି ଆଣିଥିଲେ I ଏହାପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି I
ସେହିଭଳି ଅନ୍ୟ ଏକ ଘଟଣାରେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ସୋରଡ଼ା ଗ୍ରାମ ନିବାସୀ ଦୟାନନ୍ଦ କାଣ୍ଡଗୋରିଙ୍କ ସ୍ତ୍ରୀ ପୁଷ୍ପା କାଣ୍ଡଗୋରି (୨୨)ଙ୍କୁ ପ୍ରସବ ଯନ୍ତ୍ରଣା ହେବା କାରଣରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ I ମାତ୍ର ପୂର୍ବ ଘଟଣା ଭଳି ଖରାପ ରାସ୍ତା କାରଣରୁ ଆମ୍ବୁଲାନ୍ସଟି ଆଗକୁ ନଯାଇ ପାରି ଗାଁ ଠାରୁ ପ୍ରାୟ ୨ କି.ମି ଦୂରରେ ଅଟକି ରହିଥିଲା I ଯାହାପରେ ଆମ୍ବୁଲାନ୍ସ ଚାଳକ ପି ଶଙ୍କର ରାଓ, ଆଶା କର୍ମୀ ଏବଂ ପରିବାର ଲୋକଙ୍କ ସହାୟତାରେ ଗର୍ଭବତୀଙ୍କୁ ଏକ ଖଟିଆରେ ଆମ୍ବୁଲାନ୍ସ ନୀକଟକୁ ବୋହିଆଣିଥିଲେ I ମାତ୍ର ରାସ୍ତାରେ ଆଣିବା ସମୟରେ ଉକ୍ତ ମହିଳାଜଣଙ୍କ ଏକ କନ୍ୟାସନ୍ତାନଙ୍କୁ ଜନ୍ମ ଦେଇଥିଲେ I ଯାହାପରେ ଉଭୟ ମା ଓ ଝିଅଙ୍କୁ ରାମନାଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି I ବର୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣାପଡ଼ିଛି I ଉଭୟ ଆମ୍ବୁଲାନ୍ସ କର୍ମଚାରୀ ସେମାନଙ୍କର ଏଭଳି ମହାନ କାର୍ଯ୍ୟ ପାଇଁ ସର୍ବସାଧାରଣରେ ବେଶ ପ୍ରଶଂସିତ ହୋଇଛନ୍ତି ।