ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଜାରୀ ରହିଛି ଲଘୁଚାପଜନିତ ଲଗାଣ ବର୍ଷା l ଗତକାଲି ରାୟଗଡା ଓ କଳାହାଣ୍ଡି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ଆଲର୍ଟ ଜାରୀ କରାଯାଇଥିବା ବେଳେ ଏହି ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା l ଫଳରେ ଆଜି ଗୁଣପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି l ଏଠାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଂକେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର ୮୩.୫୭ ମିଟର ନିକଟରେ ରହିଛି l ଆଜି ସକାଳୁ ଗୁଣପୁର ଅଞ୍ଚଳରେ ସ୍ୱଳ୍ପ ଧରଣର ବର୍ଷା ଲାଗିରହିଥିଲା l ଫଳରେ ଜନଜୀବନ ପ୍ରଭାବିତ ହୋଇଥିଲା l ଗତ ୨୪ ଘଣ୍ଟା ମଧ୍ୟରେ ଗୁଣୁପୁରରେ ୫୫.୮ ମିଲି ମିଟର, ମୋହନାରେ ୯୩.୬ ମିଲି ମିଟର, ଗୁଡାରିରେ ୭୩.୮ ମିଲି ମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ଆସନ୍ତା ଦୁଇରୁ ଚାରି ଦିନ ଧରି ଏଭଳି ଲଘୁଚାପଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି l