ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କ ଇଚ୍ଛାରେ ଚାଲିଛି ସକାଳୁଆ ସ୍କୁଲ??
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ଆଶା କିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସରକାରୀ ନିୟମକୁ ଅବମାନନା କରାଯାଉଥିବା ଦେଖିବାକୁ ମିଳିଛି l ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ ୧୦ରୁ ୪ଟା ପର୍ଯ୍ୟନ୍ତ ଶିକ୍ଷାଦାନ ପାଇଁ ନିୟମ ରହିଛି l ହେଲେ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଠାରେ ଥିବା ଆଶାକିରଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି l ଏଠାରେ ପ୍ରଧାନ ଶିକ୍ଷକ ନିଜ ଇଚ୍ଛାରେ ସ୍ୱଘୋଷିତ ଶନିବାର ଦିନ ସକାଳୁଆ ସ୍କୁଲ ଆରମ୍ଭ କରି ଦେଇଛନ୍ତି l ତାହା ପୁଣି ପ୍ରାୟ ୪ସପ୍ତାହ ହୋଇଗଲାଣି l ଯେତେବେଳେ କି କନ୍ଧମାଳ ଜିଲ୍ଲାରେ ଶନିବାର ସକାଳୁଆ ସ୍କୁଲ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ କିମ୍ୱା କନ୍ଧମାଳ ଜିଲ୍ଲାର କୌଣସି ସ୍କୁଲରେ ସକାଳୁଆ ସ୍କୁଲ ହେଉନାହିଁ l ସକାଳ ସ୍କୁଲ ଯଦି ସରକାର ଘୋଷଣା କରିନାହାନ୍ତି ତେବେ କାହା ସାହାସରେ ପ୍ରଧାନ ଶିକ୍ଷକ ଏଭଳି ନିଷ୍ପତ୍ତି ନିଜେ ନେଇଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଅବିଭାବକ ମହଲରେ ଦାବୀ ହେଉଛି l ଆଜି ଦିନ ସାଢ଼େ୧୨ଟା ରେ ସ୍କୁଲ ଛୁଟି କରିଥିଲେ ପ୍ରଧାନ ଶିକ୍ଷକ l ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀ ଧର ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ ଏହାକୁ ସ୍ୱୀକାର କରି ସରକାର ଆସନ୍ତା ମାସରେ ଶନିବାର ସକାଳୁଆ ସ୍କୁଲ ଘୋଷଣା କରିବାର ସମ୍ଭାବନା ରହିଛି l ତେଣୁ ମୁଁ ଏହି ମାସରୁ ଆରମ୍ଭ କରିଦେଇଛି ସେଇଠୁ କଣ ହୋଇଗଲା ବୋଲି ଓଲଟି ପ୍ରଶ୍ନ କରିଥିଲେ l ଅନ୍ୟପକ୍ଷରେ ଏନେଇ ତିଲୋରୀ କ୍ଲଷ୍ଟର ସିଆରସିସି ପ୍ରଦୀପ ମଲିକଙ୍କୁ ପଚାରିବାରୁ ବର୍ତ୍ତମାନ ଶନିବାର ଦିନ ସକାଳୁଆ ସ୍କୁଲ କରିବା ପାଇଁ କୌଣସି ଚିଠି ହୋଇନାହିଁ ବୋଲି କହି ସେ ଏ ବାବଦରେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବି ବୋଲି କହିଥିଲେ l ତେବେ କେବଳ ପ୍ରଧାନ ଶିକ୍ଷକ ନିଜ ମନମୁତାବକ ଯେ କେବଳ ସକାଳୁଆ ସ୍କୁଲ ନିୟମ କରିନାହାନ୍ତି ସ୍କୁଲରେ ସେ ଏହି ଭଳି ଅନେକ ନିୟମ କରିବା ସହିତ ଛାତ୍ର ଛାତ୍ରୀଙ୍କ ପାଇଁ ଆସୁଥିବା ସରକାରୀ ସହାୟତାରେ ମଧ୍ୟ ବ୍ୟତିକ୍ରମ କରୁଥିବା ଅଭିଯୋଗ ହେଉଅଛି l ତେଣୁ ଘଟଣାର ସତ୍ୟା ସତ୍ୟ ଅନୁଧ୍ୟାନ କରିଲେ ଘଟଣାର ସତ୍ୟା ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି l