ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଗତ ୧୫ ଦିନ ମଧ୍ୟରେ ଦୁଇଟି ଦନ୍ତା ହାତୀର ମୃତ୍ୟୁ ଘଟଣା ସମଗ୍ର ବନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ସରକାର ଖର୍ଚ୍ଚ କରୁଥିବା ବେଳେ ତାହା ସଦ୍ଉପୋଯୋଗ ହେଉନ ଥିବା ଦେଖା ଦେଇଛି। ଏହି ଘଟଣା ପରେ ଏବେ ବନ ବିଭାଗ ବର୍ତ୍ତମାନ ପୁରା ଆକ୍ସନ ମୂଡ଼କୁ ଆସିଛି । ଗତ ୭ ତାରିଖରେ ମୁଜାଗଡ଼ ରେଞ୍ଜ କାନ ବିନ୍ଧା ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀ ଶିକାର କରି ଦାନ୍ତ ଲୁଟ ଘଟଣାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ବିଭାଗୀୟ କର୍ମଚାରୀମାନଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମ୍ପୁକ୍ତ ଅଞ୍ଚଳର ବନପାଳ ସୁକାନ୍ତ କୁମାର ନାୟକ ଓ ବନରକ୍ଷୀ ଶ୍ରୀମନ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହା ସହ ଜଗନ୍ନାଥ ପ୍ରସାଦ ରେଞ୍ଜର କନ୍ଧ ନୂଆପଲି କାଜୁ ତୋଟାରେ ଗତ ବୁଧବାର ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା । ଶିକାରୀମାନେ ଦନ୍ତାର ଏକ ଦାନ୍ତ କାଟି ନେଇଥିଲେ l ଏହି ଅଭିଯୋଗରେ ବନବିଭାଗ ପକ୍ଷରୁ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କାର୍ଯ୍ୟରେ ଅବହେଳା କରିବା ଅଭୋଯୋଗରେ ବନବିଭାଗ ପକ୍ଷରୁ ସମ୍ପୁକ୍ତ ଅଞ୍ଚଳର ବନପାଳ ସୁରଭି ତ୍ରିପାଠୀ ଓ ବନରକ୍ଷୀ ଧନୁର୍ଦ୍ଧର ବେହେରାଙ୍କୁ କାଯ୍ୟରୁ ନିଲମ୍ବିତ କରାଯାଇଛି । ଆଗାମୀ ଦିନରେ ଯଦି ସତର୍କତା ଅବଲମ୍ବନ କରା ନଯାଏ ତାହେଲେ ଉତ୍ତର ଘୁମୁସର ବନଖଣ୍ଡ ନିଜର ସ୍ଥିତି ହରାଇବ ଏଥିରେ ସନ୍ଦେହ ନାହିଁ ବୋଲି ଅଂଚଳରେ ମତ ପ୍ରକାଶ ପାଇଛି ।