ଅନୁସନ୍ଧାନ ଭାରତ(ବ୍ୟୁର): ଗତ ୧୦ ଦିନ ଧରି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଗାଁ ଗୁଡିକରେ ଯେଉଁ ଝାଡ଼ାବାନ୍ତି ବ୍ୟାପିଛି ତାହା ହଇଜା ସଂକ୍ରମଣ ଦ୍ବାରା ଘଟି ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି । ହଇଜାରେ ଆକ୍ରାନ୍ତ ହୋଇ ଲୋକେ ରୋଗାକ୍ରାନ୍ତ ହୋଇଥିବା ସୁଚନା ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ ସ୍ବଧା ଦେବ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି । ଆକ୍ରାନ୍ତ ହୋଇଥିବା ଲୋକଙ୍କ ଗାଁ ମାନଙ୍କରୁ ସଂଗୃହିତ ମଳ ଓ ଜଳ ନମୁନା ପରୀକ୍ଷା ପରେ ହଇଜା ଜୀବାଣୁ ଚିହ୍ନଟ ହୋଇଥିବା ହେବା ପରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଫଳରେ ବର୍ତ୍ତମାନ ଚିକିତ୍ସା ପଦ୍ଧତି ଭିନ୍ନ ଭାବରେ ଆରମ୍ଭ ହୋଇଥିବା ଜଣାପଡିଛି । ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ନଦୀ, ନାଳ ସମେତ ଅନ୍ୟାନ୍ୟ ଜଳ ଉତ୍ସ ଦୂଷିତ ହୋଇଛି ।
ଯାହା ଦ୍ୱାରା ଏହି ମହାମାରୀ ବ୍ୟାପିଲା । ବର୍ତ୍ତମାନ ସମସ୍ତ ଜଳ ଉତ୍ସ ଗୁଡିକର ବିଶୋଧନ ଜାରି ରହିଛି । ଲୋକେ ମଧ୍ୟ ସଚେତନ ହୋଇ ଚିକିତ୍ସା ପଦ୍ଧତି ଗ୍ରହଣ କରିବା ସହ ଅଧିକ ସଚେତନ ହେବା ଜରୁରୀ ବୋଲି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ କାଶୀପୁର ବ୍ଲକରେ ହଇଜା ବ୍ୟାପିଥିଲା । ଏଥିରେ ଆକ୍ରାନ୍ତ ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ବୋଲି ସୂଚନା ମିଳିଛି । ଆଉ ଏବେ ସେହି ଅଞ୍ଚଳରେ ଏଭଳି ଘଟଣା ଘଟିଛି ।