ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକଙ୍କ ବଡ଼ ପଦକ୍ଷେପ ଗ୍ରହଣ କରିଥିବା ଦେଖିବାକୁ ମିଳିଛି I ମାସ ମାସ ଧରି ବକେୟା ଭଡ଼ା ଆଦାୟ କରିବାକୁ ଚୂଡାନ୍ତ ନିଷ୍ପତ୍ତି ନେଇ ଥିବା ସୂଚନା ମିଳିଛି I ସ୍ଥାନୀୟ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସରପଞ୍ଚ ଶ୍ରୀମତୀ ମଲ୍ଲିକଙ୍କ ସଭାପତିତ୍ୱରେ ପଞ୍ଚାୟତ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି I ବୈଠକ ପ୍ରାରମ୍ଭରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପରିଚୟ ପତ୍ର ପ୍ରଦାନ କରିବା ସହ ସମସ୍ତଙ୍କୁ ବୈଠକରେ ଯୋଗଦାନ କରିବାକୁ ସ୍ୱାଗତ କରିଥିଲେ ଏବଂ ବୈଠକର ଉଦେଶ୍ୟ ଜଣାଇ ଥିଲେ I ଆୟୋଜିତ ବୈଠକରେ ସମିତି ସଭ୍ୟା ଜଳିତା ମାଝୀ, ନାଏବ ସରପଞ୍ଚ ହର୍ଷ ବର୍ଦ୍ଧନ ବସ୍ତିରାଇ, ଜିଆର ଏସ ତ୍ରିଲୋଚନ ପରିଛା ମଞ୍ଚାଷୀନ କରିଥିଲେ I ଆଜିର ବୈଠକରେ ପଞ୍ଚାୟତର ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା I ବିଶେଷ କରି ପଞ୍ଚାୟତ ପକ୍ଷରୁ ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିବା ବଜାର ଗୃହର ବକେୟା ଭଡ଼ା ଟଙ୍କା ଆଦାୟ ସମ୍ପର୍କରେ ଆଲୋଚନା କରାଯାଇ ଥିଲା I ପିଇଓ ଶ୍ରୀ ପ୍ରଧାନ ୨୦୨୦-୨୧ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ଅର୍ଥ ସମ୍ପର୍କରେ ସୂଚନା ଦେଇଥିଲେ I ମୋଟ ୪୪ଟି ବଜାର ଗୃହକୁ ଭଡ଼ା ସୂତ୍ରରେ ପ୍ରଦାନ କରାଯାଇଥିବା ବେଳେ ଏହାର ବାର୍ଷିକ ଆୟ ଦୁଇ ଲକ୍ଷ୍ୟ ଚଉଷଠି ହଜାର ଆଦାୟ I କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ଚଉବନ ହଜାର ଆଦାୟ ହୋଇଥିବା ନେଇ ଶ୍ରୀ ପ୍ରଧାନ ଅବଗତ କରାଇଥିଲେ I ବକେୟା ଟଙ୍କା ଆସନ୍ତା ୩୦ ତାରିଖ ସୁଦ୍ଧା ପୈଠ ଦେବାକୁ ସର୍ଵ ସମ୍ମତି କ୍ରମେ ନିର୍ଦ୍ଦେଶ ଦିଆଯାଇଛି I ଏହା ସହ ଅନେକ ବଜାର ଗୃହ ଗୁଡିକର ଛାତ ବର୍ଷା ଦିନେ ଲିକେଜ ହେଉଥିବାରୁ ବ୍ୟବସାୟୀମାନେ ଅନେକ କ୍ଷତି ସହୁଥିବା ନେଇ ଅଭିଯୋଗ କରିଥିଲେ I ଟଙ୍କା ଆଦାୟ ହେଲେ ମରାମତି କରାଯିବ ବୋଲି ପଞ୍ଚାୟତ ପକ୍ଷ ପ୍ରତିଶ୍ରୁତିପ୍ରଦାନ କରିଥିଲେ I ଆୟୋଜିତ ବୈଠକରେ ବାର ଗୋଟି ୱାର୍ଡର ସଭ୍ୟ ସଭ୍ୟା, ଗାଁ ସାଥି, ବଜାର ଗୃହ ହିତାଧିକାରୀ ସମେତ ପଞ୍ଚାୟତ ବାସୀ ଯୋଗଦାନ କରିଥିଲେ I ସରପଞ୍ଚଙ୍କ ଏହି ପଦକ୍ଷେପକୁ ପଞ୍ଚାୟତ ବାସୀ ସ୍ୱାଗତ କରିଥିବା ବେଳେ ଜିଆର ଏସ ଶ୍ରୀ ପରିଛା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I