ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ପାଇଁ ଲାଗୁ ହେବ ନୂଆ ନିୟମ….

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ରାଜ୍ୟରେ ମେୟରଙ୍କୁ ଜନସାଧାରଣ ସିଧାସଳଖ ଭାବେ ଭୋଟ ଦେଇ ବାଛିଛନ୍ତି I ତେବେ ଏହାପରେ ପୌର ସଂସ୍ଥା ଉପାଧ୍ୟକ୍ଷ ଓ ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ହେବ I ଏହି ନିର୍ବାଚନ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି I ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଏ ବାବଦରେ ସମସ୍ତ ଜିଲ୍ଲାପାଳ ଓ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଛନ୍ତି I

csp

ନୂଆ ନିୟମ ଅନୁଯାୟୀ, ପୌର ଉପାଧ୍ୟକ୍ଷ ଓ ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ସମସ୍ତ ରାଜନୈତିକ ଦଳ ଜଣେ ଜଣେ ପ୍ରତିନିଧିଙ୍କୁ ନିଯୁକ୍ତ କରିବେ I ସମ୍ପୃକ୍ତ ଦଳର ସଭ୍ୟମାନେ ଭୋଟ ଦେବା ପରେ ଉକ୍ତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇବେ I ଉପାଧ୍ୟକ୍ଷ ପଦବୀ ପାଇଁ ଏପ୍ରିଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟମରେ ନାମାଙ୍କନ ପତ୍ର ଦାଖଲ, ୧୧ଟାରୁ ୧୨ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ, ଦିନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୧.୩୦ରୁ ୩.୩୦ ମଧ୍ୟରେ ଭୋଟ ପ୍ରକ୍ରିୟା ସମାପ୍ତ ହେବ I ମତଦାନ ଶେଷ ହେବା ପରେ ପରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ I

ସେହିପରି ତିନୋଟି ମହାନଗର ନିଗମର ଡେପୁଟି ମେୟର ପଦବୀ ପାଇଁ ଏପ୍ରିଲ ୭, ୮, ୯ରେ ଭୋଟ ଗ୍ରହଣ କରାଯିବ I ୭ରେ କଟକରେ, ୮ରେ ବ୍ରହ୍ମପୁରରେ ଓ ୯ରେ ଭୁବନେଶ୍ୱରରେ ନିର୍ବାଚନ ଅନୁଷ୍ଠିତ ହେବ I ଏନେଇ ରାଜ୍ୟ ସରକାର ନୂଆ ନିୟମ ଆଣିଥିବା ବେଳେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି I