ଭଙ୍ଗା କୁଡ଼ିଆରୁ ମେଡିକାଲ କଲେଜ: କେରଳରେ ଦାଦନ ଖଟିଲେ ବାପା, ଗୋଟିଏ ପରିବାରରୁ ୫ ଜଣ ହେବେ ଡାକ୍ତର….

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଭଙ୍ଗା କୁଡ଼ିଆ ଘର, ଦୁର୍ବଳ କାନ୍ଥ, ଆଉ ଓଳିଏ ଖାଇଲେ ଓଳିଏ ଉପାସ । ଅର୍ଥ ଅଭାବରୁ ଘର ମରାମତି ତ ଦୂରର କଥା, ପିନ୍ଧିବାକୁ ଭଲ ଲୁଗା ଖଣ୍ଡିଏ କି ଚଳିବାକୁ ଟଙ୍କାଟିଏ ନଥିଲା । ଏଭଳି ଚରମ ଦାରିଦ୍ର୍ୟ ଓ ଅଭାବ ଅନାଟନ ଭିତରେ ଗତି କରୁଥିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ତାଯୁଙ୍ଗିଆ ପଞ୍ଚାୟତ ସିକବାଡ଼ି ଗ୍ରାମର ବୁର୍ସି ପ୍ରଧାନ ଓ ପତ୍ନୀ ଅନୁସୂୟା ପ୍ରଧାନ । ହେଲେ ଆଜି ସେହି ଅଭାବୀ ପରିବାରର କଷ୍ଟ ଓ ସଂଘର୍ଷ ଖୁସି ଆଣିଛି । ବାପା-ମାଆଙ୍କ କଠିନ ପରିଶ୍ରମ ଏବଂ ପିଲାଙ୍କ ନିଷ୍ଠା ବଳରେ ଏହି ଗରିବ ଆଦିବାସୀ ପରିବାରର ୫ ଜଣ ଭାଇ-ଭଉଣୀ ଏବେ ଡାକ୍ତର ହେବାକୁ ଯାଉଛନ୍ତି । ପିଲାଙ୍କ ଭବିଷ୍ୟତ ପାଇଁ ଭିଟାମାଟି ଛାଡ଼ିଥିଲେ ବାପା ଦିନ ମଜୁରିଆ ଭାବେ କାମ କରୁଥିବା ବୁର୍ସିଙ୍କ ମନରେ ସଦାସର୍ବଦା ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ଘାରୁଥିଲା । କିନ୍ତୁ ପିଲାଙ୍କ ପାଠପଢ଼ା ପ୍ରତି ଥିବା ଆଗ୍ରହ ଓ ପରିଶ୍ରମ ଦେଖି ସେ ହାର୍‌ ମାନିନଥିଲେ । ପିଲାଙ୍କୁ ଭଲ ମଣିଷ କରିବା ସ୍ୱପ୍ନ ନେଇ ସେ ନିଜ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ କେରଳ ଚାଲିଯାଇଥିଲେ । କେରଳରେ ରହି ହାଡ଼ଭଙ୍ଗା ପରିଶ୍ରମ କରି ଯାହା ରୋଜଗାର କରୁଥିଲେ ସେଥିରେ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଉଠାଉଥିଲେ । ତାଙ୍କ ବଡ଼ ପୁଅ ବିଭୀଷଣ ପ୍ରଧାନ  ୨୦୨୧ ମସିହାରେ ପ୍ରଥମେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରି କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ପଢ଼ାଡାକ୍ତରୀ ପାଠ ସରିବା ପରେ ବର୍ତ୍ତମାନ ସେ ଇଣ୍ଟର୍ନସିପ୍ କରୁଛନ୍ତି । ସେହିଭଳି ବିଭୀଷଣଙ୍କ ସାନ ଭଉଣୀ ମୋନାଲିସା ପ୍ରଧାନ ଗତବର୍ଷ ନିଟ୍‌ରେ କୃତକାର୍ଯ୍ୟ ହୋଇ କୋରାପୁଟ ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ଅଧ୍ୟୟନରତ । ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳ ହୋଇ ସୁନେମି ପ୍ରଧାନ ଓ ଏସରୀୟ ପ୍ରଧାନ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଛନ୍ତି । ସେହି ଭଳି ବୁର୍ସିଙ୍କ ସାନ ଭାଇ ଜିଶାୟ ପ୍ରଧାନଙ୍କ ଝିଅ ମୀନାକ୍ଷୀ ପ୍ରଧାନ ମଧ୍ୟ ଚଳିତ ବର୍ଷ ନିଟ୍‌ରେ ସଫଳତା ପାଇ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଜବେଷ୍ଟସ ଛପର, ମାଟି ଓ କାଠରେ ତିଆରି ନୂଆଁଣିଆ କୁଡ଼ିଆ ଘର, ଯାହା ଭିତରୁ ଖୋଲା ଆକାଶ ଦୃଶ୍ୟମାନ ହୁଏ ଏହିଭଳି ଏକ ପରିବାରରୁ ବାହାରି ଏହି ଭାଇ-ଭଉଣୀମାନେ ଆଜି ନିଜ ସ୍ୱପ୍ନକୁ ସାକାର କରିଛନ୍ତି । ଘରେ ବାପା-ମାଆ କଂସେ ପଖାଳ ସହ ଲୁଣ, ଲଙ୍କା ଓ ପିଆଜ ଖାଇ ଦିନ କାଟୁଥିବା ବେଳେ ପିଲାମାନେ ମଧ୍ୟ ଛୁଟିଦିନରେ ଗୋରୁ-ଗାଈ ଚରାଇବା ସହ ବାପା-ମାଆଙ୍କୁ କାମରେ ସାହାଯ୍ୟ କରନ୍ତି । ମକା ଓ ହଳଦୀ ଚାଷରୁ ହେଉଥିବା ସୀମିତ ଆୟ ପିଲାଙ୍କ ପାଠପଢ଼ାରେ ହିଁ ଶେଷ ହୋଇଯାଏ । ବୁର୍ସି ପ୍ରଧାନଙ୍କ ବୟସ ଏବେ ୭୦ ଟପିଲାଣି । ଶରୀର ଆଉ ଆଗ ଭଳି କାମଦାମ କରିବାକୁ ସାଥ୍ ଦେଉନାହିଁ । ପିଲାଙ୍କ ନାମଲେଖା ପାଇଁ ପରିବାର ଲୋକ ନିଜର ବଳଦ ଓ ଛେଳି ବିକ୍ରି କରିଦେଇଛନ୍ତି । ପିଲାମାନେ ଡାକ୍ତରୀ ପଢ଼ିବାକୁ ସୁଯୋଗ ପାଇଥିବାରୁ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲେ ବି ଆଗକୁ ହେବାକୁ ଥିବା ଖର୍ଚ୍ଚକୁ ନେଇ ବାପା-ମାଆ ଚିନ୍ତାରେ ଅଛନ୍ତି । ଯଦି ସରକାରୀ ସ୍ତରରୁ କିଛି ଆର୍ଥିକ ସାହାଯ୍ୟ ମିଳନ୍ତା ତେବେ ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସହଜ ହୁଅନ୍ତା ବୋଲି ବୁର୍ସି ଓ ଅନୁସୂୟା ପ୍ରକାଶ କରିଛନ୍ତି । ଦାରିଙ୍ଗବାଡ଼ି ଭଳି ଉପାନ୍ତ ଓ ପଛୁଆ ଅଞ୍ଚଳରୁ ଗୋଟିଏ ଗରିବ ପରିବାରର ୫ ଜଣ ସଦସ୍ୟ ଡାକ୍ତରୀ ପଢ଼ିବା ପାଇଁ ଯୋଗ୍ୟତା ଅର୍ଜନ କରିବା ଏବେ ସାରା ଜିଲ୍ଲା ପାଇଁ ଗୌରବର ବିଷୟ ସାଜିଛି ।