ହାତୀ କବଳରୁ ଅଳ୍ପକେ ବର୍ତ୍ତିଲେ ୩ ଶିଶୁ ଓ ବୃଦ୍ଧା, ରୋଷେଇ ଘରେ ପଶି ଚାଉଳ ଓ ଡାଲି ଖାଇଲା ଦନ୍ତା….

ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ରେଟୁଡି ଗ୍ରାମରେ ପୁଣି ଜଙ୍ଗଲୀ ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଘରେ ପଶି ଭଙ୍ଗାରୁଜା କରିବା ସହ ରୋଷେଇ ଘରେ ଥିବା ଚାଉଳ ଓ ଡାଲି ଖାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମଙ୍ଗଳବାର ଭୋର ପ୍ରାୟ ୪ଟା ସମୟରେ ରେଟୁଡି ଗ୍ରାମର ରାଜେଶ କୁମାର ସାହୁ (ପିଣ୍ଟୁ)ଙ୍କ ଘରେ ଏକ ଦନ୍ତା ହାତୀ ପଶିଥିଲା । ସେତେବେଳେ ଘର ଭିତରେ ତିନି ଜଣ ଶିଶୁ ଓ ଜଣେ ବୃଦ୍ଧା ଶୋଇଥିଲେ । ହାତୀ ଘରେ ପଶିବା ଦେଖି ସେମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ଭାଗ୍ୟକ୍ରମେ ହାତୀ କାହାରି କୌଣସି କ୍ଷତି ନକରି ରୋଷେଇ ଘର ଓ ଝରକା ଭାଙ୍ଗି ସେଠାରୁ ବାହାରି ଯାଇଥିଲା । ଏହାପରେ ହାତୀଟି ଗୁମୁରା ସାହୁଙ୍କ ରୋଷେଇ ଘରେ ପଶି ବସ୍ତାରେ ରଖାଯାଇଥିବା ଚାଉଳ ଓ ଡାଲି ଖାଇଥିଲା । ପରେ ବସନ୍ତ ପ୍ରଧାନଙ୍କ ଘର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି । ଗ୍ରାମବାସୀମାନେ ଏକାଠି ହୋଇ ଚିତ୍କାର କରିବାରୁ ଦନ୍ତାଟି ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା । ଲଗାତାର ହାତୀ ଉପଦ୍ରବ ଯୋଗୁଁ ରେଟୁଡି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଘଟଣା ସମ୍ପର୍କରେ ବନ ବିଭାଗକୁ ଅବଗତ କରାଯାଇ ହାତୀ ଉପଦ୍ରବରୁ ଲୋକଙ୍କୁ ସୁରକ୍ଷା ଦେବା ସହ କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।