ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ: ରାସ୍ତା ନିର୍ମାଣ, କୋଠଘର ଓ ଅସୁସ୍ଥ ୩ ବର୍ଷର ଶିଶୁର ଚିକିତ୍ସା ପାଇଁ ବିଧାୟକଙ୍କ ତତ୍ପରତା…
ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ସ୍ୱାଧୀନତା ଦିବସ ଅବସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ବିଧାୟକ ରୂପେଶ ପାଣିଗ୍ରାହୀ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଥିବା ବେବେ ଗ୍ରାମକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନଥିବା ଗ୍ରାମବାସୀଙ୍କ ପ୍ରମୁଖ ସମସ୍ୟା ଭାବେ ବିଧାୟକଙ୍କ ନିକଟରେ ଉଠିଥିଲା । ବିଶେଷ କରି ବର୍ଷା ଦିନରେ ରାସ୍ତା ଅବସ୍ଥା ଅଧିକ ଖରାପ ହେବାରୁ ଗ୍ରାମବାସୀ ଯାତାୟାତରେ ବହୁ ଅସୁବିଧା ଭୋଗୁଥିବା ଜଣାଇଥିଲେ । ଗ୍ରାମବାସୀଙ୍କ ସମସ୍ୟା ଶୁଣିବା ପରେ ବିଧାୟକ ରୂପେଶ ପାଣିଗ୍ରାହୀ ସଙ୍ଗେ ସଙ୍ଗେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ । ବେବେ ଗ୍ରାମର ରାସ୍ତା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଅଧିକାରୀଙ୍କୁ କହିଥିଲେ । ଏହାର ଉତ୍ତରରେ ଅଧିକାରୀମାନେ ଟେଣ୍ଡର ପ୍ରକ୍ରିୟା ଶୀଘ୍ର ସମାପ୍ତ କରି ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନିଆଯିବ ବୋଲି ଜଣାଇଥିଲେ ।
- କୋଠଘର ନିର୍ମାଣ ପାଇଁ ସହଯୋଗ ଘୋଷଣା:

ଏଥିସହିତ ଗ୍ରାମରେ ଏକ କୋଠଘର ନିର୍ମାଣ ପାଇଁ ମଧ୍ୟ ବିଧାୟକ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ଗ୍ରାମବାସୀଙ୍କ ପାଇଁ ଏହାକୁ ଏକ ଉପହାର ଭାବେ ଦେଉଥିବା ବିଧାୟକ କହିଥିଲେ । ଏହି ଘୋଷଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା ।
- ୩ ବର୍ଷର ଅସୁସ୍ଥ ଶିଶୁର ଚିକିତ୍ସା ପାଇଁ ଆଗକୁ ଆସିଲେ ବିଧାୟକ:
ଜନ ଅଭିଯୋଗ ଶୁଣାଣୀ ସମୟରେ ଗ୍ରାମର ଜଣେ ୩ ବର୍ଷର ଶିଶୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏବଂ ଅର୍ଥାଭାବ ଯୋଗୁଁ ପରିବାର ଉଚ୍ଚମାନର ଚିକିତ୍ସା କରାଇବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ଘଟଣା ବିଧାୟକଙ୍କ ଦୃଷ୍ଟିକୁ ଆସିଥିଲା । ଶିଶୁର ଅବସ୍ଥା ସମ୍ପର୍କରେ ଜାଣିବା ପରେ ବିଧାୟକ ଭାବବିହ୍ୱଳ ହୋଇ ପରିବାରକୁ ଆଶ୍ୱାସନ ଦେଇଥିଲେ । ଅର୍ଥ ଅଭାବ ଯୋଗୁଁ ଶିଶୁର ଚିକିତ୍ସା ଅଟକିବ ନାହିଁ ବୋଲି କହିବା ସହ ଉଚ୍ଚଚିକିତ୍ସା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଆବଶ୍ୟକ ହେଲେ ନିଜ ଦାୟିତ୍ୱରେ ଶିଶୁଟିକୁ ଭୁବନେଶ୍ୱରର ଏକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ପଦକ୍ଷେପ ନେବେ ବୋଲି ପରିବାରକୁ ଜଣାଇଥିଲେ । ବିଧାୟକଙ୍କ ଏହି ମାନବିକ ପଦକ୍ଷେପକୁ ଶିଶୁର ପରିବାର ସମେତ ଗ୍ରାମବାସୀ ସ୍ୱାଗତ କରିଥିଲେ । ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ଅସହାୟ ପରିବାରର ଶିଶୁର ଚିକିତ୍ସା ପାଇଁ ଆଗକୁ ଆସିବା ଘଟଣା ଗ୍ରାମବାସୀଙ୍କ ମନରେ ଆଶା ସୃଷ୍ଟି କରିଛି । ବେବେ ଗ୍ରାମର ରାସ୍ତା, କୋଠଘର ନିର୍ମାଣ ଓ ଅସୁସ୍ଥ ଶିଶୁର ଚିକିତ୍ସା ଏହି ତିନୋଟି ପ୍ରମୁଖ ସମସ୍ୟା ଉପରେ ବିଧାୟକଙ୍କ ତତ୍ପରତା ଗ୍ରାମବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି । ଗ୍ରାମବାସୀଙ୍କ ଦାବି ଅନୁଯାୟୀ ରାସ୍ତା କାମର ଟେଣ୍ଡର ପ୍ରକ୍ରିୟା ଶୀଘ୍ର ସମାପ୍ତ ହୋଇ କାର୍ଯ୍ୟ ଆରମ୍ଭ ହେବା ସହ ଶିଶୁଟି ଉଚ୍ଚମାନର ଚିକିତ୍ସା ପାଇ ଶୀଘ୍ର ସୁସ୍ଥ ହେଉ ଏହି ଆଶା ଏବେ ଗ୍ରାମବାସୀଙ୍କ ମନରେ ରହିଛି ।