ଦାରିଙ୍ଗବାଡ଼ି ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ: ସପକ୍ଷରେ ୧୫, ବିପକ୍ଷରେ ୫…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଚନ୍ଦ୍ରିକା ମଲ୍ଲିକଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଭୋଟ ଗ୍ରହଣ ହୋଇଛି । ପୂର୍ବାହ୍ନ ୧୧ଟାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ପ୍ରକ୍ରିୟା ଅପରାହ୍ନ ପ୍ରାୟ ୧ଟା ୩୦ରେ ଶେଷ ହୋଇଥିଲା । ପ୍ରିଜାଇଡିଂ ଅଫିସର ଭାବେ ସ୍ଥାନୀୟ ତହସିଲଦାର ଧୀରଜ ପାତ୍ର ଉପସ୍ଥିତ ରହି ଭୋଟ ଗ୍ରହଣ ପ୍ରକ୍ରିୟା ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ଭୋଟ ଗଣନା ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୫ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ସରପଞ୍ଚଙ୍କ ସମେତ ୫ଟି ଭୋଟ ପଡ଼ିଥିଲା । ଅନ୍ୟ ୨ ଜଣ ୱାର୍ଡ ସଭ୍ୟ ଭୋଟ ଗ୍ରହଣରେ ଅନୁପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତରେ ମୋଟ ୨୨ଟି ୱାର୍ଡ ରହିଛି । ତେବେ ଗୋଟିଏ ୱାର୍ଡରେ ସଭ୍ୟ ନିର୍ବାଚିତ ହୋଇନଥିବାରୁ ୨୧ ଜଣ ୱାର୍ଡ ସଭ୍ୟ ଓ ସରପଞ୍ଚଙ୍କୁ ମିଶାଇ ମୋଟ ୨୨ ଜଣ ନିର୍ବାଚିତ ପ୍ରତିନିଧି ରହିଛନ୍ତି । ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବକୁ ନେଇ ସରପଞ୍ଚ ଚନ୍ଦିକା ମଲ୍ଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ଭୋଟ ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ଏନେଇ କୌଣସି ନିର୍ଦ୍ଦେଶ ଆସିନଥିବା ସୂଚନା ମିଳିଛି । ଭୋଟ ଗ୍ରହଣ ଓ ଗଣନା ପରେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଛି । ସେମାନଙ୍କ ପକ୍ଷରୁ ନିୟମାନୁଯାୟୀ ଅନାସ୍ଥା ପ୍ରସ୍ତାବର ଫଳାଫଳ ଘୋଷଣା କରାଯିବ ବୋଲି ପ୍ରିଜାଇଡିଂ ଅଫିସର ତଥା ତହସିଲଦାର ଧୀରଜ ପାତ୍ର ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଦାରିଙ୍ଗବାଡ଼ିରେ ରାଜନୈତିକ ମାହୋଲ ସରଗରମ ହୋଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେଡି ଶିବିରରେ ଚର୍ଚ୍ଚା ଜୋର ଧରିବା ସହ ଖୁସି ମନାଇ ବାଣ ଫୁଟାଯାଇଥିବା ଦେଖିବାକୁ ମିଳିଛି । ଏହା ସହ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ୧୫ ଜଣ ୱାର୍ଡ ସଭ୍ୟ, ନାଏବ ସରପଞ୍ଚ ପକ୍ଷରୁ ମାଇକ ଲଗାଇ ବିଜୟର ଖୁସି ମନାଇ ଶୋଭାଯାତ୍ରା ମାଧ୍ୟମରେ ଦାରିଙ୍ଗବାଡ଼ି ବଜାର ପରିକ୍ରମା କରାଯାଇଛି ।