ଚାଷୀ-ମୂଲିଆ ଓ ଆଦିବାସୀଙ୍କ ସହ ସବୁବେଳେ ବିଧାୟକ ରୂପେଶ ପାଣିଗ୍ରାହୀ: କାଦୁଅ ରାସ୍ତାରେ ଚାଲି ଗ୍ରାମରେ ପହଞ୍ଚିଲେ ଓ ଚାଷୀଙ୍କ ସହ ଜମିରେ ମିଶିଲେ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଚାଷୀ, ମୂଲିଆ ଓ ଆଦିବାସୀଙ୍କ ଦୁଃଖ-ସୁଖରେ ସାମିଲ ହୋଇ ସେମାନଙ୍କ ସହ ବିଲରେ ମିଶିବାର ଏକ ଭାବପ୍ରବଣ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଗୁଟିପାଡୁ ଗ୍ରାମରେ । ଖାରଡା ପଞ୍ଚାୟତ ଅଧୀନ ଏହି ଗ୍ରାମକୁ ବିଧାୟକ ରୂପେଶ ପାଣିଗ୍ରାହୀ ଗସ୍ତ କରି ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ବିତାଇଥିଲେ । ଗୁଟିପାଡୁ ଗ୍ରାମକୁ ଯିବା ପାଇଁ ଏପର୍ଯ୍ୟନ୍ତ ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଯାତାୟାତରେ ନାନା ସମସ୍ୟା ଭୋଗୁଛନ୍ତି । ବିଶେଷକରି ବର୍ଷା ଋତୁରେ ରାସ୍ତା କାଦୁଅରେ ପରିଣତ ହୋଇଯାଉଥିବାରୁ ଗ୍ରାମକୁ ଯିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ । ଏଭଳି ପରିସ୍ଥିତିକୁ ଖାତିର ନକରି ବିଧାୟକ ନିଜେ କାଦୁଅ ରାସ୍ତାରେ ଚାଲି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ । ଗ୍ରାମରେ ପହଞ୍ଚିବା ପରେ ବିଧାୟକ କେବଳ ଲୋକଙ୍କ ସମସ୍ୟା ଶୁଣି ଫେରି ଆସିନଥିଲେ । ସେ ଚାଷୀଙ୍କ ସହ ଜମିକୁ ଯାଇ ଚାଷ କାର୍ଯ୍ୟରେ ମଧ୍ୟ ସହଯୋଗ ବଢ଼ାଇଥିଲେ । ବୃଦ୍ଧ-ବୃଦ୍ଧା, ଆଦିବାସୀ ଚାଷୀ ଓ ଶ୍ରମିକଙ୍କ ସହ ମିଶି ଜମି ପ୍ରସ୍ତୁତି, ଧାନ ରୋଇବା ଓ ଅନ୍ୟାନ୍ୟ ଚାଷ କାର୍ଯ୍ୟରେ ସହଯୋଗ କରିଥିଲେ । ଜଣେ ଜନପ୍ରତିନିଧି ଚାଷୀଙ୍କ ସହ ଏଭଳି ଭାବରେ ଚାଷ ଜମିରେ ମିଶି କାମ କରୁଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଖୁସି ଓ ଆତ୍ମୀୟତାର ଭାବ ସୃଷ୍ଟି ହୋଇଥିଲା । “ନେତା ଲୋକଙ୍କ ନିକଟକୁ ଯିବେ, ଲୋକଙ୍କ ସହ ଚାଷ ଜମିରେ ମିଶିବେ ଏବଂ ସେମାନଙ୍କ ଦୁଃଖକୁ ନିଜ ଦୁଃଖ ଭାବିବେ” ଏହି ଭାବନାକୁ ନିଜ ଆଚରଣରେ ପ୍ରତିଫଳିତ କରିଥିବା ଦୃଶ୍ୟ ଏଠାରେ ଦେଖିବାକୁ ମିଳିଥିଲା । କାଦୁଅ ରାସ୍ତାରୁ ଆରମ୍ଭ କରି ଚାଷ ଜମି ପର୍ଯ୍ୟନ୍ତ ବିଧାୟକଙ୍କ ସରଳ ଓ ଆତ୍ମୀୟ ଆଚରଣ ଗ୍ରାମବାସୀଙ୍କ ମନକୁ ଛୁଇଁଥିଲା । ଏହି ଅବସରରେ ବିଧାୟକ ରୂପେଶ ପାଣିଗ୍ରାହୀ ଆଦିବାସୀ ଚାଷୀ ଓ ଶ୍ରମିକମାନଙ୍କୁ ଖାଦ୍ୟ ଓ ଥଣ୍ଡା ପାନୀୟ ଜଳ ପ୍ରଦାନ କରିଥିଲେ । ସେମାନଙ୍କ ସହ ହସଖୁସିରେ କଥାବାର୍ତ୍ତା କରିବା ସହ ଆର୍ଥିକ ସହାୟତା ମଧ୍ୟ କରିଥିବା ଜଣାପଡ଼ିଛି । ଦିନର ତାପ, କାଦୁଅ ଓ ଚାଷ କାମର କଷ୍ଟ ମଧ୍ୟରେ ଚାଷୀଙ୍କ ପାଖରେ ବସି ସେମାନଙ୍କ ସହ ଖାଇବା-ପିଇବା ଓ ଆଲୋଚନା କରିବାର ଦୃଶ୍ୟ ଉପସ୍ଥିତ ଲୋକଙ୍କ ମନରେ ଭିନ୍ନ ଏକ ଭାବନା ସୃଷ୍ଟି କରିଥିଲା । ଗ୍ରାମବାସୀମାନେ ଦୀର୍ଘଦିନର ରାସ୍ତା ସମସ୍ୟା ସହ ଚାଷ କାର୍ଯ୍ୟ, ଯାତାୟାତ, ଜୀବିକା ଓ ଅନ୍ୟାନ୍ୟ ସମସ୍ୟା ବିଧାୟକଙ୍କ ସମ୍ମୁଖରେ ଉଠାଇଥିଲେ । ବିଧାୟକ ଧୈର୍ଯ୍ୟର ସହ ସମସ୍ତଙ୍କ କଥା ଶୁଣିବା ସହ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।