ଗୁମ୍ମାରେ ସାମ୍ବାଦିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ସାମ୍ବାଦିକତାର ନୈତିକତା ଏବଂ ଦାୟିତ୍ୱ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ…

ପାରଳାଖେମୁଣ୍ଡି(ପ୍ରବୀଣ କୁମାର ଲିମା): ଗଜପତି ଜିଲ୍ଲାର ଗୁମ୍ମା କଲ୍ୟାଣ ମଣ୍ଡପ ପରିସରରେ ଆଜି ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସାହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଶାସନ, ପୁଲିସ ଓ ସାମ୍ବାଦିକ ସମାଜ ମଧ୍ୟରେ ସୁସମ୍ପର୍କ ସହିତ ଦାୟିତ୍ୱବୋଧ ଓ ନୈତିକ ସାମ୍ବାଦିକତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଗୁମ୍ମା ଗୋଷ୍ଠୀ ଉନୟନ୍ନ ଅଧିକାରୀ ଦୁଲାରାମ ମାରାଣ୍ଡି, ତହସିଲଦାରଶରତ ଶବର, ଗୁମ୍ମା ଫାଣ୍ଡି ଅଧିକାରୀ ପାଲାକା, ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦ୍ବିଜେନ ନାଥ ପାଢ଼ୀ ଓ ସମ୍ପାଦକଙ୍କ ସୋରଜ ବୀର ଓୟୁଯେ ସଂଘର କର୍ମକର୍ତ୍ତା ବାସୁଦେବ ଦାସ ଓ ଜିତେନ୍ଦ୍ର ବାରିକ ସମେତ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା, ସୁବୋଧ ଲିମା, ଲଳିତ ମହନ ଦଣ୍ଡସେନା, ଅଲିନ ପାଣି, ସୁମନ୍ତ ଘଣ୍ଟ, ସମାଜସେବୀ ଆମୋଦ କୁମାର ବର୍ଦ୍ଧନ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ । ଆଲୋଚନା ସମୟରେ ସାମ୍ବାଦିକତା କେବଳ ଖବର ପ୍ରକାଶରେ ସୀମିତ ନୁହେଁ, ବରଂ ସମାଜ ପ୍ରତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପୂର୍ବରୁ ତଥ୍ୟର ସତ୍ୟତା ଯାଞ୍ଚ, ଉଭୟ ପକ୍ଷର ମତାମତ ଗ୍ରହଣ, ନିରପେକ୍ଷତା ରକ୍ଷା ଏବଂ ମିଥ୍ୟା ବା ଭ୍ରାନ୍ତିକର ତଥ୍ୟ ପ୍ରଚାରରୁ ଦୂରେଇ ରହିବା ଉପରେ ବରିଷ୍ଠ ସାମ୍ବାଦିକମାନେ ଗୁରୁତ୍ୱାରୋପ କରିଥିଲେ । ସାମ୍ବାଦିକମାନେ ସମାଜର ବିଭିନ୍ନ ସମସ୍ୟା, ବିଶେଷକରି ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟାକୁ ପ୍ରଶାସନ ଓ ସରକାରଙ୍କ ନଜରକୁ ଆଣିବାରେ ଏକ ସେତୁ ଭାବେ କାର୍ଯ୍ୟ କରୁଥିବାରୁ ଏହି ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏଥିସହ ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ, ସାଧାରଣ ଲୋକଙ୍କ ସମସ୍ୟା ଏବଂ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ ଖବର ଅଧିକ ପ୍ରଭାବଶାଳୀ ଭାବେ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ । ବନ୍ଧୁମିଳନ କାର୍ଯ୍ୟକ୍ରମରେ ପରସ୍ପର ମଧ୍ୟରେ ଭାବ ବିନିମୟ ସହିତ ଗଣମାଧ୍ୟମର ଭୂମିକା, ସାମ୍ବାଦିକଙ୍କ ନୈତିକତା, ସାମାଜିକ ଦାୟିତ୍ୱ ଓ ଅଞ୍ଚଳର ବିଭିନ୍ନ ଜନସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ସମସ୍ତେ ଏକାଠି ହୋଇ ସୁସ୍ଥ ସାମ୍ବାଦିକତା ଓ ଜନସ୍ୱାର୍ଥଭିତ୍ତିକ ଖବର ପ୍ରକାଶ ଦିଗରେ ଆଗକୁ ବଢ଼ିବାକୁ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ସୁରେଶ ଚନ୍ଦ୍ର ନାଗ ପରିଚାଳନା କରିଥିବାବେଳେ, ନିରୋଜ ଷଡ଼ଙ୍ଗୀ, ଉପ୍ରିୟମ ନାଇକା, ପ୍ରବୀଣ ଲିମ୍ମା ଓ ଋଷିକେଶ ଦଳାଇ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ସମାପ୍ତ ହୋଇଥିଲା ।