ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ପୁଲିସ – ଆମ ସାଥୀ କାର୍ଯ୍ୟକ୍ରମ ଅନୁଷ୍ଠିତ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ ସିଂହଙ୍କ ସଭାପତିତ୍ବରେ ଏକ ବୈଠକ ଆୟୋଜନ କରାଯାଇ ଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକାରୀ ଭୋଳାନାଥ ପଣ୍ଡା ଯୋଗ ଦେଇ ପୋସ୍କ ଆଇନ୍, ନିଶାଦ୍ରବ୍ୟ ନିରାକରଣ ଓ ସାଇବର୍ ଠକେଇ ସମ୍ପର୍କରେ ବିଭିନ୍ନ ଉଦାହରଣ ଦେଇ ସଚେତନା କରିଥିଲେ ।
୧୮ ବର୍ଷରୁ କମ୍ ବୟସର ଶିଶୁମାନେ କିଭଳି ନିର୍ଯ୍ୟାତନା ଓ ଯୌନ ଶୋଷଣର ଶିକାର ହେଉଛନ୍ତି ଏବଂ ନିଶା ଦ୍ରବ୍ୟ ସେବନରେ ଲିପ୍ତ ହେଉଛନ୍ତି ଏବଂ ସାଇବର ଠକେଇର ଶିକାର ହେଉଛନ୍ତି ଏସମସ୍ତ ବିଷୟରୁ ନିଜକୁ ସୁରକ୍ଷିତ ରଖିବାକୁ ହେଲେ କଣ ସବୁ କରିବାକୁ ପଡିବ ଏବଂ ପୁଲିସର ସହାୟତାରେ ସମସ୍ୟାର ସମାଧାନ କିପରି ହୋଇ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ୬ଷ୍ଠ ଶ୍ରେଣୀରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ମଧ୍ୟରେ ଜୁନିଅର୍ ଓ ସିନିଅର ଦୁଇ ଦଳରେ ଭାଗ କରି ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ୧ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇ ଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଁ ୬ଶହ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୪ଶହ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଶା ମୁକ୍ତ ଅଭିଯାନର ଶପଥ ପାଠ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଇଆଇସି, ଏଏସଆଇ ଶୁଶାନ୍ତ କୁମାର ଶବର ସମେତ ପୁଲିସ୍ ଟିମ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।