ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପୁଲିସ ପକ୍ଷରୁ ସଚେତନତା ସଭା ଓ ବକ୍ତୃତା, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ….
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଦାରିଙ୍ଗବାଡ଼ି ପୁଲିସ ପ୍ରଶାସନ ପକ୍ଷରୁ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଛାତ୍ରଛାତ୍ରୀମାନଙ୍କୁ ପୋକ୍ସୋ ଆଇନ, ନିଶାମୁକ୍ତ ଓଡ଼ିଶା ଅଭିଯାନ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ଓ ଜାଗରୁକତା ପ୍ରଦାନ କରାଯିବା ସହିତ ଷଷ୍ଠରୁ +2 ମଧ୍ୟବର୍ତ୍ତୀ ଛାତ୍ରଛାତ୍ରୀଙ୍କ ବକ୍ତୃତା, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଏସପି କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ସହିତ ପୁରସ୍କାର ରାଶି ବଣ୍ଟନ କରାଯାଇଥିଲା ।
ଏହି ଅଭିଯାନରେ ପୋକ୍ସ ଆଇନ ପ୍ରତି କୋମଳମତି ଶିଶୁଙ୍କୁ ଯୌନ ଶୋଷଣ ଓ ନିର୍ଯାତନାରୁ ସୁରକ୍ଷିତ ରଖିବା ପାଇଁ ଆଇନଗତ ଅଧିକାର ବିଷୟରେ ବୁଝାଯାଇଥିଲା । ‘ଗୁଡ୍ ଟଚ୍’ ଓ ‘ବ୍ୟାଡ୍ ଟଚ୍’ ସମ୍ପର୍କରେ ଧାରଣା ଦେବା ସହ କୌଣସି ଅପ୍ରୀତିକର ପରିସ୍ଥିତିରେ ଭୟ ନକରି ନିର୍ଭୟରେ ପୁଲିସ, ଶିକ୍ଷକ କିମ୍ବା ଚାଇଲ୍ଡ ଲାଇନ୍ ନମ୍ବର ୧୦୯୮ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା । ସେହି ଭଳି ନିଶା ମୁକ୍ତ ଓଡ଼ିଶା ନିମନ୍ତେ ମଧ୍ୟ ଛାତ୍ରଜୀବନରେ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ଆଲୋକପାତ କରି ପୁଲିସ ଅଧିକାରୀମାନେ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରରେ ରହିବାକୁ ଆହ୍ବାନ ଦେଇଥିଲେ । ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ଉଚିତ୍ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ ଏବଂ ସାଇବର ସୁରକ୍ଷା ନିମନ୍ତେ ସାମ୍ପ୍ରତିକ ଡିଜିଟାଲ ଯୁଗରେ ବୃଦ୍ଧି ପାଉଥିବା ସାଇବର ଅପରାଧ, ଅନଲାଇନ୍ ଠକେଇ ଏବଂ ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ବିଷୟରେ ଆଲୋଚନା କରାଯାଇଥିଲା । ନିଜର ବ୍ୟକ୍ତିଗତ ତଥ୍ୟ, ପାସୱାର୍ଡ କିମ୍ବା ଓଟିପି କାହା ସହିତ ସେୟାର ନକରିବାକୁ କୁହାଯାଇଥିଲା । ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରରେ ଅଭିଯୋଗ କରିବାକୁ ଜଣାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା, ଏଏସଆଇ ଅର୍ଜୁନ ଶବର ସହ ପୁଲିସ କର୍ମଚାରୀ, ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।