ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ହାତୀ ମୁଣ୍ଡା ପଞ୍ଚାୟତ ସ୍ତରୀୟ ସମନ୍ଵୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ପଞ୍ଚାୟତରେ ୧୯ଟି ଗ୍ରାମରୁ ୮ଟି ରାଜସ୍ୱ ଗ୍ରାମ ଓ ୧୧ଟି ପଡ଼ା ଗ୍ରାମରେ ମୋଟ ୧୨୨୩ ପରିବାରର ପ୍ରାୟ ୭୦୦୦ ହଜାର ଲୋକ ବସବାସ କରନ୍ତି । ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ପଞ୍ଚାୟତ ବାସୀଙ୍କର ବିଭିନ୍ନ ସମସ୍ୟା ଲାଗି ରହିଛି । ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ୫୦ କିମି ଦୁରରେ ତଥା ଅପହଞ୍ଚ ଇଲାକାରେ ଥିବାରୁ ପ୍ରସାଶନର ପ୍ରକୃତ ଦୃଷ୍ଟି ପଡୁ ନାହିଁ । ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକେ ବଞ୍ଚିତ ଥିବା ଦେଖା ଦେଇଛି । ଗ୍ରାମ ତଥା ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ପଞ୍ଚାୟତ ପ୍ରତିନିଧି ତଥା ୱାର୍ଡ ବାସୀଙ୍କ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ଯାହାକୁ ପଞ୍ଚାୟତ ବାସୀ ସଠିକ୍ ଭାବରେ ଉପଲବ୍ଧ କରିପାରି ନାହାନ୍ତି ଏବଂ ସରକାରଙ୍କ ଯୋଜନା ସମ୍ପର୍କରେ ସୁଦ୍ଧା ସଠିକ୍ ତଥ୍ୟ ପାଇବାରୁ ବଞ୍ଚିତ ଥିବା ଦେଖା ଯାଇଛି ।
ପଞ୍ଚାୟତର ବିକାଶ ପାଇଁ ପଲ୍ଲୀ ସଭା ଓ ଗ୍ରାମ ସଭାରେ ପୁର୍ଣ୍ଣ ସହଯୋଗ କରି ନିଜର ସମସ୍ତ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସମସ୍ତଙ୍କ ଗୁରୁ ଦାୟିତ୍ଵ ରହିଛି । ଏଣୁ ବ୍ଲକ୍ ପ୍ରସାଶନ, ପଞ୍ଚାୟତ ପ୍ରତିନିଧୀ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସମନ୍ଵୟରେ ପଞ୍ଚାୟତ ସ୍ତରୀୟ ସମନ୍ଵୟ ମେଳାର ଆୟୋଜନ କରାଯାଇ ଥିଲା । ଗ୍ରାମବିକାଶ ଓ ଆମଗାଁ ସ୍ବେଚ୍ଛା ସେବୀ ଅନୁଷ୍ଠାନର ସୌଜନ୍ୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ଦୁଃଶାସନ ସ୍ୱାଇଁ ଯୋଗ ଦେଇଥିବାବେଳେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଡ଼.ହିତେଶ କୁମାର ପଣ୍ଡା, ଖାଦ୍ୟ ଯୋଗାଣ ବିଭାଗରୁ ବିଭୂତି ଭୁଷଣ ପଟ୍ଟନାୟକ, ବନବିଭାଗରୁ ଯୋଗେଶ୍ଵର ଧାରୁଆ, ସମିତି ସଭ୍ୟା ଶିବାନୀ ବିନ୍ଧାଣୀ, ନାଏବ ସରପଞ୍ଚ, ସଲମନ ସୁନା ମାଝୀ, ଏଡିଓ ରବିନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିଲେ l ଆୟୋଜିତ ବୈଠରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା l ପଞ୍ଚାୟତର ସର୍ବାଙ୍ଗିନ ବିକାଶ କରିବାକୁ ହେଲେ ପ୍ରତ୍ୟେକ ପଲ୍ଲୀସଭା ଓ ଗ୍ରାମସଭାରେ ପଞ୍ଚାୟତ ବାସୀ ଉପସ୍ଥିତ ରହି ନିଜର ଦାବୀ ଉପସ୍ଥାପନା କରିବାକୁ ପରାମର୍ଶ ଦିଆ ଯାଇଥିବା ବେଳେ ଉପସ୍ଥିତ ଅଧିକାରୀମାନେ ନିଜ ନିଜ ଵିଭାଗ ଅନୁସାରେ ସରକାରଙ୍କ ଯୋଜନା କିପରି କାର୍ଯ୍ୟକାରି ହୁଏ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆମ ଗାଁ ସ୍ବେଚ୍ଛା ସେବୀ ଅନୁଷ୍ଠାନର ସମ୍ପାଦକ କିଶୋର ବଳିଆର ସିଂଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ ସମନ୍ଵୟ କମିଟିର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀମାନେ ପରିଚାଳନା କରିଥିବା ବେଳେ ପଞ୍ଚାୟତରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀଙ୍କ ସମେତ ଶତାଧିକ ମହିଳା ପୁରୁଷମାନେ ଯୋଗ ଦେଇଥିଲେ ।