ଚାଷୀ ପଞ୍ଜିକରଣ ନେଇ ଉପଖଣ୍ଡ ସ୍ତରୀୟ ତାଲିମ୍ ଶିବିର ଆରମ୍ଭ….

ଭଞ୍ଜନଗର(ନିଲୁ ବିଷୋୟୀ): ଚଳିତ ବର୍ଷ ଖରିଫ୍ ଧାନକିଣା ନେଇ ଗତ ୬ ତାରିଖରୁ ରାଜ୍ୟରେ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ଚାଲିବ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡରେ ମଧ୍ୟ ଚଳିତ ବର୍ଷର ଖରିଫ୍ ଧାନକିଣା ପାଇଁ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହୋଇଛି । ଉପଖଣ୍ଡର ୧୨୮ ପ୍ରାଥମିକ କୃଷି ସମବାୟ ସମିତିରେ ଏହି ପଞ୍ଜୀକରଣ ଚାଲିଛି । ଖରିଫ୍ ଧାନକିଣା ନେଇ ଉପଖଣ୍ଡରେ ଚାଲିଥିବା ଚାଷୀ ପଞ୍ଜିକରଣ କିଭଳି ସୁରୁଖୁରୁରେ ସମାପ୍ତ ହେବ ସେନେଇ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭା ଗୃହରେ ବିଭାଗୀୟ ଅଧିକାରୀମାନଙ୍କୁ ଏନେଇ ତାଲିମ୍ ଦିଆଯାଇଛି । ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଏଆରସିଏସ୍ ବିଜୟ କୁମାର ସାହୁ, ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭରାଜ ସାମନ୍ତରା, ନିୟନ୍ତ୍ରିତ ବଜାର କମିଟି ସଂପାଦକ ସୁମନ୍ତ ସାହୁ, ଆସିକା କୃଷି ଜିଲ୍ଲା ଅଧିକାରୀ ସତ୍ୟବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷର ଖରିଫ୍ ଧାନକିଣା ନେଇ ଚାଲିଥିବା ଚାଷୀ ପଞ୍ଜିକରଣ ବାବଦରେ ଉପସ୍ଥିତ ପ୍ୟାକ୍ସ ସମ୍ପାଦକମାନଙ୍କୁ ତାଲିମ ଦେଇଥିଲେ । ଚଳିତ ବର୍ଷର ଚାଷୀ ପଞ୍ଜିକରଣ ଯେଭଳି ନିର୍ଭୁଲ ହେବା ସହ ସମସ୍ତ ଯୋଗ୍ୟ ଚାଷୀ ଯେଭଳି ପଞ୍ଜିକରଣ କରିପାରିବେ ସେ ନେଇ ଉପଜିଲ୍ଲାପାଳ ଶ୍ରୀ ବେହେରା ଗୁରୁତ୍ବାରୋପ ଦେଇଥିଲେ । ପଞ୍ଜିକରଣ ସରିବା ପରେ ଚାଷୀଙ୍କୁ ପ୍ରାପ୍ତି ସ୍ୱୀକାର ପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଚଳିତ ଥର ଖରିଫ୍ ଧାନକିଣା ସମୟରେ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ ହୋଇଥିବାରୁ ସମବାୟ, ରାଜସ୍ବ ଓ କୃଷି ବିଭାଗ ସମନ୍ୱୟ ରଖି ଯଥାଶୀଘ୍ର ସମସ୍ତ ଯୋଗ୍ୟ ଚାଷୀଙ୍କ ଆଇଡି କରିବାକୁ ଉପଜିଲ୍ଲାପାଳ ଶ୍ରୀ ବେହେରା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପଖଣ୍ଡର ଆସିକା, ବେଲଗୁଣ୍ଠା, ବୁଗୁଡ଼ା, ଶେରଗଡ଼, ଧରାକୋଟ, ଭଞ୍ଜନଗର, ଜଗନ୍ନାଥପ୍ରସାଦ ଓ ସୋରଡ଼ା ବ୍ଲକର ତହସିଲଦାର, ବ୍ଲକ କୃଷି ଅଧିକାରୀ ଓ ଯୋଗାଣ ନିରୀକ୍ଷକଙ୍କ ସମେତ ସମସ୍ତ ପ୍ୟାକ୍ସ ସମ୍ପାଦକ ଉପସ୍ଥିତ ଥିଲେ ।